ସ୍ୱାସ୍ଥ୍ୟ ସେବା ପ୍ରତି ଗ୍ରାମାଞ୍ଚଳ ମହିଳାଙ୍କୁ ସଚେତନ କରି ଜାତୀୟ ସ୍ତରରେ ସିଏଚଓ ପୁରସ୍କୃତ ।
ଓଡିଶାରୁ ଜଣେ ବ୍ୟକ୍ତି ଭାବେ ଗଞ୍ଜାମ ଜିଲ୍ଲା ପାତ୍ରପୁର ଗୋଷ୍ଠିକେନ୍ଦ୍ର ଅଧିନସ୍ତ ବି.ନୂଆଗାଁ ସି.ଏଚ.ଓ ଆର.ତ୍ରିବେଣୀ ଜାତୀୟ ସ୍ତରରେ ପୁରସ୍କୃତ ହୋଇ କେବଳ ପାତ୍ରପୁର ବ୍ଲକ ନୁଁହ ସମଗ୍ର ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଦିଲ୍ଲୀରେ ୟୁଏସଆଇଡି ଦ୍ୱାରା ଆୟୋଜିତ ଆନ୍ତର୍ଜାତିକ ମହିଳା ଦିବସ ପାଳନର ଏକ ସ୍ୱତନ୍ତ୍ର ଉତ୍ସବ ରେ ତ୍ରିବେଣୀକୁ ପୁରସ୍କୃତ କରାଯାଇଛି । ଗ୍ରାମାଞ୍ଚଳର ମହିଳା ମାନଙ୍କୁ ସରକାରଙ୍କ ସ୍ୱାସ୍ଥ୍ୟସେବା ପ୍ରତି ସଚେତନ କରି ସେମାନଙ୍କୁ ସଶକ୍ତ କରିବା ଦିଗରେ ତ୍ରିବେଣୀଙ୍କ ପ୍ରଶଂସନୀୟ କାର୍ଯ୍ୟକୁ ଉକ୍ତ କାର୍ଯ୍ୟକ୍ରମରେ ଦିଲ୍ଲୀ ସରକାରଙ୍କ ପଦାଧିକାରୀ, ମହିଳା କମିଶନ ଓ ୟୁଏସଆଇଡ଼ି କର୍ତ୍ତୃପକ୍ଷ ପ୍ରଶଂସା କରି ସେ ଅନ୍ୟ ପାଇଁ ଉଦାହରଣ ବୋଲି କହିଛନ୍ତି । ମୋଟ ୨୧ ଜଣ ପୁରସ୍କୃତ ବ୍ୟକ୍ତିତ୍ୱଙ୍କୁ ମଧ୍ୟରୁ ଓଡିଶାରୁ ଜଣେ ଭାବେ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ କାର୍ଯ୍ୟରତ ଆର.ତ୍ରିବେଣୀ ନିଜ କାର୍ଯ୍ୟପାଇଁ ପୁରସ୍କୃତ ହୋଇଥିବାରୁ ତାଙ୍କୁ ପାତ୍ରପୁର ମେଡିକାଲ ଅଧ୍ୟକ୍ଷ ଡା.ସମ୍ବିତ ବେଗରାୟ ଓ ତାଙ୍କ ପୁରା ଟିମ ଶୁଭେଚ୍ଛା ଜଣେଇଛନ୍ତି । ଜାତୀୟ ସ୍ତରରେ ପୁରସ୍କୃତ ହେବା ମୋ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ତ୍ରିବେଣୀ କହିବା ସହିତ ଏଭଳି କାର୍ଯ୍ୟ ସେ ଆଗକୁ ବି ଜାରି ରଖିବେ ବୋଲି କହିଛନ୍ତି ।