ଓଡିଶା ସରକାର ପ୍ରସ୍ତାବିତ ଛେଳିଗଡ ପ୍ରକଳ୍ପ ଦ୍ଵାରା ବିସ୍ଥାପିତ ହେବାକୁ ଥିବା ପରିବାର ଗୁଡିକୁ ଥଇଥାନ କରିବା ପାଇଁ ଦିଗପହଣ୍ଡି ତହସିଲ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ କଲୋନୀ କରିବାକୁ ଯାଉଛନ୍ତି । ଏଥିପାଇଁ ଚାକୁଣ୍ଡାପଲ୍ଲୀ ମୌଜାରେ ୭୫ ଏକର ଓ ବାଲିପାଟ ମୌଜାର ୯୦ ଏକର ଜମିକୁ ଚିହ୍ନଟ କରାଯାଇଛି । ଏସବୁ ଜମି ଯଦିଓ ସରକାରୀ ଜମି କିନ୍ତୁ ଏଥିରେ ସ୍ଥାନୀୟ ବିଭିନ୍ନ ଗାଁର ଶତାଧିକ ଗରିବ ପରିବାର ଦଶକ ଦଶକ ଧରି ଚାଷବାସ କରି ବଞ୍ଚି ଆସୁଛନ୍ତି । ଚାକୁଣ୍ଡାପଲ୍ଲୀ ମୌଜାରେ ହେବାକୁ ଥିବା ଥଇଥାନ କଲୋନୀ ପାଇଁ ଯେଉଁ ଜମି ସରକାର ନେଉଛନ୍ତି, ସେଥିରେ ଉସ୍ତପଲ୍ଲୀର ୪୫ଟି ଆଦିବାସୀ ପରିବାର, ବ୍ରାହ୍ମଣପଙ୍କର ୨୮ଟି ଦଳିତ ପରିବାର, ୧୦ଟି ଆଦିବାସୀ ପରିବାର ଏବଂ ଦେଉଳସାହି ଓ ବିଷ୍ଣୁ ସାଗର ଗାଁର ୧୦ରୁ ଉର୍ଦ୍ଧ ପରିବାର ଚାଷ କରି ଜୀବିକା ନିର୍ବାହ କରୁଛନ୍ତି । ସବୁଠାରୁ ପରିତାପର ବିଷୟ ହେଲା, ସରକାରଙ୍କ ଦ୍ଵାରା ଜମିରୁ ବେଦଖଲ ହେବାକୁ ଯାଉଥିବା ଉପରୋକ୍ତ ସମସ୍ତ ପରିବାରଙ୍କ ନାଁରେ କୌଣସି ଜମିପଟ୍ଟା ନାହିଁ । ସେମାନେ ପୁରୁଷ ପୁରୁଷ ଧରି ଭୂମିହୀନ ରହିଥିଲେ ବି ସରକାର ସେମାନଙ୍କୁ କେବେ ଜମି ପଟ୍ଟା ଦେବାକୁ ଇଚ୍ଛା ପ୍ରକାଶ କରି ନାହାନ୍ତି । ଏପରିକି ସେମାନଙ୍କ ଦଖଲରେ ଥିବା ଜଙ୍ଗଲ ଜମିରେ ବି ଜଙ୍ଗଲ ଅଧିକାର ଆଇନ - ୨୦୦୬ ମୁତାବକ ସେମାନଙ୍କ ନାଁରେ ଏଯାଏଁ କୌଣସି ଜଙ୍ଗଲ ଅଧିକାର ଶିରୋନାମା ବି ଦିଆଯାଇନି । ଏଭଳି ପରିସ୍ଥିତିରେ ଅନ୍ୟକୁ ଥଇଥାନ କରିବା ନାମରେ ସରକାର ଏସବୁ ଗାଁର ଗରିବ ଆଦିବାସୀ ଓ ଦଳିତ ଲୋକଙ୍କ ବଞ୍ଚିବାର ଏକମାତ୍ର ମାଧ୍ୟମ ଜମିରୁ ସେମାନଙ୍କୁ ବଞ୍ଚିତ କରିବାକୁ ଚେଷ୍ଟା କରିବା ଅନ୍ୟାୟ ଓ ଗ୍ରହଣୀୟ ନୁହେଁ । ସରକାରଙ୍କ ଏହି ଜନବିରୋଧି ପଦକ୍ଷେପ ବିରୋଧରେ ସ୍ଥାନୀୟ ଲୋକମାନେ ବିରୋଧ କରିବା ଫଳରେ ଅତିତରେ ସରକାରଙ୍କ ପକ୍ଷରୁ ଆୟୋଜିତ କଲୋନୀର ଭୂମିପୂଜା କାର୍ଯ୍ୟକ୍ରମ ବନ୍ଦ ହୋଇ ଯାଇଛି । ସମ୍ପୃକ୍ତ ଜମି ଚାରିପଟେ ତାରବାଡ ଦେବା କାର୍ଯ୍ୟକ୍ରମ ବି ଅଧାରୁ ବନ୍ଦ ହୋଇଛି । ଏଭଳି ପରିସ୍ଥିତିରେ ସ୍ଥାନୀୟ ଲୋକେ ଏଭଳି ବଳପୂର୍ବକ ଜମିରୁ ବେଦଖଲ କରିବାକୁ ଆଦୌ ଗ୍ରହଣ କରିବେନି ।
ଏହି ପରିପ୍ରେକ୍ଷୀରେ ଆଜି ସରକାରଙ୍କୁ ବିଧିବଦ୍ଧ ଭାବେ ନିଜର ଆପତ୍ତିକୁ ଜଣାଇବା ପାଇଁ ଅଖିଳ ଭାରତ କିଶାନ୍ ମଜଦୁର୍ ସଭା (AIKMS) ନେତୃତ୍ୱରେ ସେ ଅଞ୍ଚଳର ଗରିବ ଲୋକମାନେ ବ୍ରହ୍ମପୁର ଉପ ଜିଲ୍ଲାପାଳଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଏବଂ କୌଣସି ବି ପରିସ୍ଥିତିରେ ସେହି ଜମିକୁ ଛାଡିବୁ ନାହିଁ ବୋଲି ସ୍ପଷ୍ଟ ଭାବରେ ଜଣାଇ ଦେଇଥିଲେ ।