ଧରାକୋଟ,6/6/23
ଧରାକୋଟ.. ଜାନବିଲି ପାଞ୍ଚ କିମି ରାସ୍ତା ସଂପ୍ରତି ନିର୍ମାଣ ଚାଲିଛି । ଦୀର୍ଘଦିନ ହେଲା ଠିକାଦାର ଜଣକ ଅଧ ପନ୍ତରିଆ ଭାବରେ ରାସ୍ତା କୁ ଛାଡ଼ିଦେଇ ଚାଲିଯାଇଛନ୍ତି । ବାରମ୍ବାର ଅଭିଯୋଗ ପରେ ବିଭାଗ ତରଫରୁ ଠିକାଦାରଙ୍କୁ ତୁରନ୍ତ ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ଚିଠି ଲେଖାଯାଇଛି । ହେଲେ ଏହା ମଧ୍ୟରେ ନୂତନ ଭାବେ ନିର୍ମାଣ କରାଯାଇଥିବା ପିଚୁ ରାସ୍ତା ଭରିଯାନ ଚଳାଚଳ ଯୋଗୁଁ ଧସି ଯାଇଛି । ଏଣୁ ନିମ୍ନ ମାନର ନିର୍ମାଣ କାର୍ଯ୍ୟ ସହ ରାସ୍ତାର ସ୍ଥାୟୀତ୍ବ ନେ଼ଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଭଞ୍ଜନଗର ପୂର୍ତ୍ତ ବିଭାଗ ଅଧିନରେ ରହିଛି ଧରାକୋଟ.. ଜନବିଲି ରାସ୍ତା । ଏହି ରାସ୍ତା ର ନିର୍ମାଣ କାର୍ଯ୍ୟ ପାଇଁ ଛଅ କୋଟି ଟଙ୍କା ମଞ୍ଜୁର ହେବାପରେ ବର୍ତ୍ତମାନ ଏହାର ନିର୍ମାଣ କାର୍ଯ୍ୟ ଚାଲିଛି। ପାଞ୍ଚ କିମି ରାସ୍ତା ଅଧାପନ୍ତରିଆ ଭାବେ ଦୀର୍ଘ ଦିନ ହେଲା ପଡି ରହିଛି। ମେଡିକାଲ ଠାରୁ ଥାନା ପର୍ଯ୍ୟନ୍ତ ପ୍ରାୟ ପାଞ୍ଚ ଶହ ମିଟର ରାସ୍ତା ନିର୍ମାଣ କାର୍ଯ୍ୟ ସରିଛି । ହେଲେ ଥାନା ସମ୍ମୁଖରେ ଗୋଲେଇ ଛକ ଭାରି ଯାନ ଚଳାଚଳ ଯୋଗୁଁ ଧସି ଯାଇଛି । ନିର୍ମାଣର ଏକ ମାସ ଯାଇନି ରାସ୍ତା ଧସି ନଷ୍ଟ ହୋଇଯିବା ଯୋଗୁଁ ଏହାର ସ୍ଥାୟୀତ୍ବ ନେଇ ସନ୍ଦେହ ସୃଷ୍ଟି ହୋଇଛି। ସୋରଡା ପୂର୍ତ୍ତ ବିଭାଗ ଉପଖଣ୍ଡ ସହ ବଡଗଡ ସେକ୍ସନ ର ପଦାଧିକାରି ଏହାର ନିର୍ମାଣ କାର୍ଯ୍ୟ ତଦାରଖ କରୁଛନ୍ତି । ହେଲେ ଏଠାରେ ପ୍ରଶ୍ନ ରାସ୍ତା ଧସିଲା କାହିଁକି । ନିମ୍ନ ମାନର କାର୍ଯ୍ୟ ନା ଅନୁମତି ଠାରୁ ଅଧିକ ଭାରର ସାମଗ୍ରୀ ନେଇ ଯାଉଥିବା ହଇୱା ଓ ଟିପର ଚଳାଚଳ ଯୋଗୁଁ,ତାହା ଏବେ ପ୍ରଶ୍ନବାଚୀ । ଏ ସମ୍ପର୍କରେ ବିଭାଗୀୟ ଅଧିକାରୀ ମାନଙ୍କ ସହ ଯୋଗାଯୋଗ ବେଳେ ସଦ୍ୟ ନିର୍ମିତ ରାସ୍ତାର ଗୋଲେଇ ଛକ ଅଂଶ ସଂକୀର୍ଣ୍ଣ ହୋଇଥିବାରୁ ଅଧିକ ଭାର ନେଇ ଯାଉଥିବା ଗାଡ଼ି ର ଚାପରେ ଏହା ଧସି ଯାଇଛି । ଏହାର ପୁନଃ ନିର୍ମାଣ କରାଯିବ ବୋଲି ପ୍ରକାଶ କରିଛନ୍ତି। ଅନ୍ୟ ପଟରେ ଦୀର୍ଘ ଦୁଇମାସରୁ ଅଧିକ ସମୟ ହେଲା ବ୍ରିଜ ଠାରୁ ନେଳିଆ ବନ୍ଧ ପର୍ଯ୍ୟନ୍ତ 1500 ମିଟର ରାସ୍ତା ମେଟାଲିଙ୍ଗ କରି ଛାଡ଼ି ଦିଆ ଯାଇଛି। ପିଚୁ କାର୍ଯ୍ୟ ଆରମ୍ଭ ହୋଇନଥିବାରୁ ରାସ୍ତା ସାରା ମେଟାଲ ଉଠିଯାଇ ପ୍ରତିଦିନ ଦୁର୍ଘଟଣା ଘଟୁଛି । ଏଣୁ ତୁରନ୍ତ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ଜନସାଧାରଣ ଦାବୀ କରିଛନ୍ତି।