ଅଭାବୀ ବର୍ଷା ଯୋଗୁଁ ଚାଷୀ ମୁଣ୍ଡରେ ଚଡ଼କ
..................................
ଧରାକୋଟ,7/7/23
ଜଳବାୟୁ ରେ ଅସ୍ଵାଭାବିକ ପରିବର୍ତ୍ତନ ଯୋଗୁଁ ପରିବେଶରେ ସନ୍ତୁଳନ ଆସୁନାହିଁ । ଯାହାର ପ୍ରଭାବ ଋତୁଚକ୍ର ଉପରେ ପଡୁଛି । ଏଣୁ ଆଷାଢ଼ ଓ ଶ୍ରାବଣ ମାସ ରେ ମଧ୍ୟ ସ୍ଵାଭାବିକ ଭାବରେ ବର୍ଷା ହେଉନାହିଁ । ଚାଷ କାମ ଆଗେଇ ପାରୁନାହିଁ । ଲଗୁଛି ସତେ ଯେପରି ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି । ବ୍ଲକ କୃଷି କାର୍ଯ୍ୟଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବ୍ଲକର ମୋଟ କୃଷି ଜମି ହେଉଛି 18,700 ହେକ୍ଟର। ସେଥି ମଧ୍ୟରୁ ତଳିପକା ଜମି4962 ହେକ୍ଟର , ଧାନ ବୁଣା ଜମି 590ହେକ୍ଟର,ଜଳସେଚିତ ଜମି 4562 ହେକ୍ଟର, ଅଣ ଜଳସେଚିତ ଜମି 490 ହେକ୍ଟର,ବୁଣା ଜମି 30 ହେକ୍ଟର । ସମ୍ପ୍ରତି ମୌସୁମୀର ଲୁଚକାଳି ଖେଳ ଯୋଗୁଁ ସ୍ବଭାବିକ ପରିମାଣର ବର୍ଷା ହୋଇପାରି ନାହିଁ। ଏଣୁ ବ୍ଲକର 18 ଗୋଟି ପଞ୍ଚାୟତ ରେ ତଳିପକା କାମ ମାତ୍ର ତିରିଶି ପ୍ରତିଶତ ହୋଇଛି। ଖରିଫ ଋତୁରେ ତଳିପକା ଚାଷ ପ୍ରାୟତଃ ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଥାଏ। ହେଲେ ବର୍ଷା ନଥିବା ଯୋଗୁଁ ଅଧିକାଂଶ ଗ୍ରାମରେ ତଳିପକା କାମ ଆଗେଇ ପାରୁନାହିଁ। ଅନ୍ୟ ପକ୍ଷରେ ସମୟ ଅନୁସାରେ ଯେଉଁଠି ଚାଷୀ ତଳି ପକା କାମ ସାରିଦେଇଛି ସେଠୀ ତଳି ତାତି ଯିବା ପରିସ୍ଥିତି ଦୃଷ୍ଟିରୁ ମୋଟର ଦ୍ଵାରା ପାଣି ପକାଇଥିବା ଦେଖିବାକୁ ମିଳୁଛି। ବ୍ଲକ ର ଚାଷ କାର୍ଯ୍ୟରେ ଋଷିକୁଲ୍ୟା ନଦୀ ଓ କେନାଲ ର ଭୂମିକା ବେଶ ଗୁରୁତ୍ଵପୂର୍ଣ୍ଣ। କିନ୍ତୁ ବର୍ଷା ଅଭାବ ଯୋଗୁଁ ନଦୀ ଓ କେନାଲ ଶୁଖିଲା ପଡ଼ିଛି। ସବୁଠାରୁ ତର୍ଜମାର ବିଷୟ ଋତୁ ଅନୁସାରେ ବର୍ଷା ହେଉନାହିଁ । ଚାରିଆଡେ କଂକ୍ରିଟ ରାସ୍ତା,ନୂତନ ରାସ୍ତା ନିର୍ମାଣ,ସମ୍ପ୍ରସାରଣ ନାମରେ ଅବାଧରେ ଗଛ କଟା,ଜଙ୍ଗଲ କ୍ଷୟ ଏବଂ ପର୍ଯ୍ୟାପ୍ତ ପରିମାଣର ବୃକ୍ଷ ରୋପଣ ହେଉନଥିବାରୁ ପରିବେଶରେ ସୁଧାର ଓ ସନ୍ତୁଳନ ଆସୁନାହିଁ । ଏଣୁ ବର୍ଷା ସ୍ଵାଭାବିକ ହେଉନାହିଁ । ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷ କାର୍ଯ୍ୟରେ ବାଧା ଉପୁଜିିବା ଯୋଗୁଁ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି। ପରିସ୍ଥିତି ଏପରି ହେଲାଣି ଆସନ୍ତା ଦୁଇ ଚାରି ଦିନ ମଧ୍ୟରେ ବର୍ଷା ନହେଲେ ଗଜା ମରୁଡି ସହ ତଳି ପୋଡିବା ର ଜଳ ଜଳ ସ୍ଥିତି ଦେଖା ଦେଲାଣି ।