ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ୬୯ତମ ଜଙ୍ଗଲ ଓ ଜାତୀୟ ବନ୍ୟପ୍ରାଣୀ ସୁରକ୍ଷା ମହା ସପ୍ତାହ ତଥା ସଚ଼େତନତା ଶୋଭାଯାତ୍ରା
ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ବନ୍ୟ ପ୍ରାଣୀ ମହା ସପ୍ତାହ ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ପୌରହିତ୍ୟରେ ଏବଂ ମୁଖ୍ୟ ସଚ଼େତକ ଦକ୍ଷିଣ ଘୁମୁସର ବନ ଖଣ୍ଡ ବିଭାଗର ମୁଖ୍ୟ ବନାଞ୍ଚଳ ଅଧିକାରୀ ପ୍ରମୋଦ କୁମାର ପଣ୍ଡାଙ୍କ ସଂଯୋଜନାରେ ଏକ ବର୍ଣ୍ଣାଢ୍ୟ ପରିବେଶ ଭିତରେ ପାଳିତ ହୋଇଯାଇଛି। ଦ୍ରୁତ ସହରୀକରଣ ଯୋଗୁଁ ଯେଉଁ ସବୁ ଜଙ୍ଗଲ ସମ୍ପଦ ବର୍ତ୍ତମାନ ପରିସ୍ଥିତିରେ ଅବକ୍ଷୟ ହେବାରେ ଲାଗିଛି, ଏହି ଜଙ୍ଗଲ ସମ୍ପଦ ଓ ବନ୍ୟ ପ୍ରାଣୀମାନେ ପରିବେଶ ସୁରକ୍ଷା ଓ ସନ୍ତୁଳନ ଆଣିବାରେ ସାହାଯ୍ୟ କରିଥାନ୍ତି। ସେଥିପାଇଁ ସରକାର ବନ୍ୟପ୍ରାଣୀଙ୍କ ସୁରକ୍ଷା ନିମନ୍ତେ ଅନେକ ଯୋଜନା ଓ କାର୍ଯ୍ୟକ୍ରମ କରୁଛନ୍ତି, ତନ୍ମମଧ୍ୟରୁ ଜାତୀୟ ଜଙ୍ଗଲ ଓ ବନ୍ୟଜନ୍ତୁ ସଂରକ୍ଷଣ ସପ୍ତାହ ଅନ୍ୟତମ। ପଶୁପକ୍ଷୀମନଙ୍କୁ ସେମାନଙ୍କ ନିତ୍ୟ ପ୍ରତିଦିନର ଚରାଭୂମୀ ବନାନୀ ପରିବେଶରେ ସେମାନଙ୍କୁ ସଂରକ୍ଷଣ କରି ରଖିବା ହେଉଛି ଏହି ଜଙ୍ଗଲ ସୁରକ୍ଷା ଓ ବନ୍ୟପ୍ରାଣୀ ମହା ସପ୍ତାହର ମୁଖ୍ୟ ଉଦ୍ଦେଶ୍ୟ। ତେଣୁ ସରକାରଙ୍କ ଆହ୍ବାନ କ୍ରମେ ସମଗ୍ର ଭାରତ ବର୍ଷରେ ମହାମାନବ ମହାତ୍ମା ଗାନ୍ଧିଙ୍କ ଜନ୍ମ ଦିନ ଅକ୍ଟୋବର ୨ ରୁ ୮ ତାରିଖ ପର୍ଯ୍ୟନ୍ତ ଜଙ୍ଗଲ ସୁରକ୍ଷା ଏବଂ ବନ୍ୟପ୍ରାଣୀ ସଂରକ୍ଷଣ ସପ୍ତାହ ପାଳନ କରାଯାଉଛି। ସକାଳ ୯ ଘଣ୍ଟା ସମୟରେ ଏଥି ନିମନ୍ତେ ମହାବିଦ୍ୟାଳୟର ଯୁବ ରେଡକ୍ରସ, ଜାତୀୟ ସେବା ସଂସ୍ଥାର ସ୍ବେଚ୍ଛାସେବୀ ଏବଂ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଶିକ୍ଷାର୍ଥୀ ଏବଂ ମହାବିଦ୍ୟାଳୟର ପ୍ରାୟ ଶତାଧିକ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଜାତୀୟ ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା ସଚ଼େତନତା ଶୋଭାଯାତ୍ରା କଲେଜ କ୍ୟାମ୍ପସରୁ ବାହାରି କଲେଜଛକ ମୁଖ୍ୟରାସ୍ତା ତଥା ଆଖପାଖ ଅଂଚଳ ପର୍ଯ୍ୟନ୍ତ ବାଦ୍ୟବାଜଣାରେ ବାଘ, ଭାଲୁ, କୃଷ୍ଣସାର ମୃଗ, ହରିଣ ଏବଂ ମୟୁର ଆଦି ବନ୍ୟ ପଶୁ ପକ୍ଷୀଙ୍କ ବେଶ ଓ ନୃତ୍ୱ ନୃତିକା ତଥା ବିଭିନ୍ନ ଆକର୍ଷଣୀୟ ଧ୍ବନୀ ମାଧ୍ୟମରେ ଶୋଭାଯାତ୍ରା ହୋଇଥିଲା। ଏଥି ନିମନ୍ତେ ଦାସକାଠୀ ଲୋକ ନୃତ୍ୟ ମାଧ୍ୟମରେ ମଧ୍ୟ ସମସ୍ତଙ୍କୁ ବନାନୀ ପରିବେଶର ସଚ଼େତନ କରାଯାଇଥିଲା। ତତ୍ ସଙ୍ଗେ ସଙ୍ଗେ ଏକ ସଚ଼େତନତା ଶିବିର ମଧ୍ୟ ଆୟୋଜିତ ହୋଇଥିଲା। ଏହି ଶିବିରରେ ମୁଖ୍ୟ ଅତିଥି ରୂପେ ଆସିକା ସାଂସଦ ସଭ୍ୟା ପ୍ରମିଳା ବିଷୋୟୀ ଏବଂ ସମ୍ମାନିତ ଅତିଥି ରୂପେ ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁ, ତହସିଲଦାର ସଞ୍ଜୟ କୁମାର ସାମନ୍ତରା, ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିନୋଦ କୁମାର ଆଚାର୍ଯ୍ୟ ଏବଂ ସହକାରୀ ବନ ସଂରକ୍ଷକ ଅଧିକାରୀ ରଜତ କୁମାର ମିଶ୍ର, ଅବସର ପ୍ରାପ୍ତ ଉପ ବନ ସଂରକ୍ଷକ ଅଧିକାରୀ ଅନୁପମ ବାନାର୍ଜୀ, ଆସିକା ଅଞ୍ଚଳର ବିଶ୍ବ ପ୍ରସିଦ୍ଧ ତଥା ବିରଳ କୃଷ୍ଣସାର ମୃଗ ସୁରକ୍ଷା କମିଟି ମୁଖ୍ୟ ସଚ଼େତକ ଅମୂଲ୍ୟ କୁମାର ଉପାଧ୍ୟାୟ, ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଓ ସମାଜସେବୀ ଶୂଳପାଣି ଶତପଥୀ ଏବଂ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡ. ଶଙ୍କର ପ୍ରସାଦ ଅଧିକାରୀ ଏବଂ ଅଧ୍ୟକ୍ଷ ଡ. ଜୀବନନ୍ଦ ତ୍ରିପାଠୀ ମଞ୍ଚାସୀନ ଥିଲେ। ଅଧ୍ୟାପିକା ଡ. ସସ୍ମିତା ପାତ୍ର ଅତିଥିମାନଙ୍କ ପରିଚ଼ୟ ପ୍ରଦାନ କରିଥିଲେ। ଅଧ୍ୟକ୍ଷ ଡ. ତ୍ରିପାଠୀ ସ୍ବାଗତ ଭାଷଣ ଦ୍ବାରା ବନାନୀ ପରିବେଶର ସନ୍ତୁଳନ ହୋଇପାରିଲେ ହିଁ ଜୀବନ ରକ୍ଷା ସମ୍ଭବପର ହୋପାରିବ ବୋଲି କହିଥିଲେ। ମୁଖ୍ୟ ଅତିଥି ଆସିକା ସାଂସଦ ସଭ୍ୟା ଆସିକା ଅଞ୍ଚଳ ପାକିଡି ପାହାଡ ମୟୁରସ୍ଥଳୀର ସୁରକ୍ଷା ଉପରେ ମତବ୍ୟକ୍ତ କରିଥିଲେ। ତହସିଲଦାର ସାମନ୍ତରା ନିଜ ବ୍ୟକ୍ତବ୍ୟରେ ବନର ସମସ୍ତ ଅବ୍ୟକ୍ତ ବନ୍ୟପ୍ରାଣୀଙ୍କ ଆହ୍ବାନକୁ ହୃଦୟଙ୍ଗମ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ କହିଥିଲେ। କୃଷ୍ଣସାର ମୃଗ ସୁରକ୍ଷା କମିଟିର ମୁଖ୍ୟ ସଚ଼େତକ ଅମୂଲ୍ୟ କୁମାର ଉପାଧ୍ୟାୟ କୃଷ୍ଣସାର ମୃଗର ସୁରକ୍ଷା ନିମନ୍ତେ ଭୂମୀ ମାଫିଆଙ୍କ କବଳରୁ ରକ୍ଷା କରିବା ପାଇଁ ପ୍ରଶାସନିକ ଅଧିକାରୀ ତହସିଲଦାର ମହୋଦୟଙ୍କୁ ବିନମ୍ର ନିବେଦନ ରଖିଥିଲେ। ସମାଜସେବୀ ଶୂଳପାଣି ଶତପଥୀ ବିଭିନ୍ନ ପ୍ରକାରର ପରିବେଶ ସଚ଼େତନତାର ଆକର୍ଷଣୀୟ ବାର୍ତ୍ତା ଦ୍ବାରା ଛାତ୍ରଛାତ୍ରୀମାନଙ୍କୁ୍ ସଚ଼େତନତା କରାଇଥିଲେ ଏବଂ ସଭା ସଂଚାଳନା କରିଥିଲେ। ସମସ୍ତ ଅତିଥି ବୃକ୍ଷରୋପଣ ହିଁ ପରିବେଶ ତଥା ବନ୍ୟପ୍ରାଣୀ ସୁରକ୍ଷାର ଏକାନ୍ତ ବିକଳ୍ପ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଯୁବରେଡକ୍ରସ ଉପଦେଷ୍ଟା ରାଜେଶ୍ କୁମାର ସାହୁ, ଅଜିତ୍ କୁମାର ମୁନୀ, ଏନ୍ଏନ୍ଏସ୍ ଯୋଜନା ଅଧିକାରୀ ମଞ୍ଜୁ ଡାକୁଆ, ଚନ୍ଦନ ମାରାଣ୍ଡି, ପବିତ୍ର ଧଙ୍ଗଡାମାଝୀ, ଅଧ୍ୟାପିକା ବନଶ୍ରୀ ମହାନ୍ତି, ଅଧ୍ୟାପକ ସରୋଜ କୁମାର ପଣ୍ଡା ଟେକ୍ନିସିଆନ୍ ପ୍ରମୋଦ କୁମାର ସାହୁ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବାରେ ସହଯୋଗ କରିଥିଲେ। ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ଛାତ୍ରଛାତ୍ରୀ ଶିବିରରେ ଉପସ୍ଥିତ ଥିଲେ। ପରିଶେଷରେ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।