ନିର୍ବାଚନ ମୈଦାନରେ ବିଜେଡିର ହେଭି ୱେଟ ନେତା
ଯୋଡ଼ା - ରାଜ୍ୟର ଧନୀ ତଥା ପ୍ରଭାବଶାଳୀ ନିର୍ବାଚନ ମଣ୍ଡଳୀ କହିବାକୁ ଗଲେ ସାଧାରଣତଃ କେନ୍ଦୁଝର ଜିଲ୍ଲା ଚମ୍ପୁଆ ନିର୍ବାଚନ ମଣ୍ଡଳୀକୁ ବୁଝାଇ ଥାଏ । ଏହି ନିର୍ବାଚନ ମଣ୍ଡଳୀର ଯୋଡ଼ା ଏକ ଛୋଟ ସହର । ୧୪ ଗୋଟି ୱାର୍ଡକୁ ନେଇ ଯୋଡ଼ା ପୌରପାଳିକା । ଗତ ପୌର ନିର୍ବାଚନରେ ବିଜେଡି ୭ ଟି ୱାର୍ଡରେ ଜିତି ଥିବାବେଳେ ନିୟତିର ଡ଼ାକରାରେ ୮ ନମ୍ବର ୱାର୍ଡ କାଉନ୍ସିଲର ଜୟୀରାମ ନାଏକଙ୍କ ଅକାଳ ବିୟୋଗ ସମଗ୍ର ଯୋଡ଼ା ସହରକୁ ସ୍ଥବ୍ଧ କରି ଦେଇଥିଲା । ସେହିଦିନ ଠାରୁ ଉକ୍ତ ଆସନଟି ଖାଲି ପଡିଥିଲା । ଓଡିଶା ସରକାରଙ୍କ ନିର୍ବାଚନ ଆୟୋଗଙ୍କ ଅନୁମତି କ୍ରମେ ଉକ୍ତ ୱାର୍ଡରେ ଚଳିତ ମାସ ୨୯ ତାରିଖ ଉପ ନିର୍ବାଚନ ହେବାକୁ ଯାଉଛି । ନିର୍ବାଚନୀ ମୈଦାନରେ ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି,ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଦେଇଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ଭାବେ ରୁନା ନାଏକ ପ୍ରାର୍ଥୀପତ୍ର ଦାଖଲ କରିଥିବା ଜଣାପଡ଼ିଛି । କଂଗ୍ରେସ ପକ୍ଷରୁ ପ୍ରଚାର ଧିମା ପଡିଥିବା ବେଳେ ବିଜେପି ଓ ବିଜେଡି ପକ୍ଷରୁ ପ୍ରଚାର ଜୋରଦାର କରାଯାଉଥିବା ଦେଖିବାକୁ ମିଳିଛି । କେନ୍ଦ୍ର ସରକାରଙ୍କ ଜନ ମାରଣ ନୀତି ଓ ଖାଉଟି ସାମଗ୍ରୀର ଅହେତୁକ ଦର ବୃଦ୍ଧି ଯୋଗୁଁ ଲୋକେ ବିଜେପି ଉପରୁ ଆସ୍ଥା ହରାଉଥିବା ପରିଲିକ୍ଷିତ ହୋଇଛି । ଏପରି ସ୍ଥଳେ ବିଜେଡି ଦଳର ପ୍ରମୁଖ ନେତା ଓ କର୍ମୀ ମାନଙ୍କ ଏକତ୍ରିକରଣ ଓ ଓଡିଶା ସରକାରଙ୍କ ଲୋକାଭିମୁଖୀ ଯୋଜନା ଭୋଟର ମାନଙ୍କୁ ବେଶ ପ୍ରଭାବିତ କରି ପାରିଛି । ଦଳର ଯୁବ ସଂଗଠକ ସୁଶାନ୍ତ କୁମାର ବାରିକ , ହୃଷିକେଶ ଜେନା ( କାବୁ ) , ଯୋଡ଼ା ପୌରାଧକ୍ଷ ଜଗଦୀଶ ପ୍ରସାଦ ସାହୁ , ଉପାଧକ୍ଷ୍ୟା ସନ୍ଧ୍ୟା ପାତ୍ର , ବଡ଼ବିଲ ପୌରାଧକ୍ଷ ଲକ୍ଷ୍ମଣ ମହାନ୍ତ , ଚମ୍ପୁଆ ପୌରାଧକ୍ଷ ଗିରିଜା ଶଙ୍କର ସାହୁ , ବରିଷ୍ଠ ବିଜେଡି ନେତା ଶ୍ରୀନିବାସ ସାହୁ ପ୍ରମୁଖ ବିଜେଡି ଦଳର ପ୍ରାର୍ଥୀ ସୁଭମ ନାଏକଙ୍କ ପାଇଁ ଘର ଘର ବୁଲି ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ସୁଭମ ନାଏକଙ୍କ ବାସଭବନରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛିବ। ଉକ୍ତ ବୈଠକରେ ବଡ଼ବିଲ ପୌରାଧକ୍ଷ ଶ୍ରୀ ମହାନ୍ତ ଦଳର ସୁପ୍ରିମୋ ନବୀନ ବାବୁଙ୍କ ୨୪ ବର୍ଷର ସୁଶାସନ ଓ ମା ମାନଙ୍କ କର୍ମ ନିଯୁକ୍ତି ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ଚମ୍ପୁଆ ପୌରାଧକ୍ଷ ଶ୍ରୀ ସାହୁ ମିଶନ ଶକ୍ତି ମାଧ୍ୟମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକ ପ୍ରତି ଥିବା ଅହେତୁକ ଅନୁକମ୍ପା ସମ୍ପର୍କରେ ଉପସ୍ଥିତ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଅବଗତ କରାଇଥିଲେ । ପରିଶେଷରେ ଯୋଡ଼ା ପୌରାଧକ୍ଷ ଶ୍ରୀ ସାହୁ ଜନ୍ମଠାରୁ ମୃତ୍ୟୁ ଯାଏ ମାନ୍ୟବର ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଯୋଜନାର ସବିଶେଷ ଆଲୋଚନା କରିବା ସହିତ ସୁଭମ ନାଏକଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ନବୀନ ବାବୁଙ୍କ ହାତମୁଠାକୁ ମଜବୁତ କରିବାକୁ ନିବେଦନ କରିଥିଲେ । ପରିଶେଷରେ ସ୍ବର୍ଗତ ଜୟୀରାମ ନାଏକ ୮ ନମ୍ବର ୱାର୍ଡର ଉନ୍ନତି ନିମନ୍ତେ ଦେଖିଥିବା ସ୍ୱପ୍ନ ଆଗାମୀ ଦିନରେ ସୁଭମ ନାଏକ ନିଶ୍ଚିତ ପୁରଣ କରିବେ ବୋଲି ଉପାଧକ୍ଷ୍ୟା ସନ୍ଧ୍ୟା ପାତ୍ର କହିଥିଲେ ।