୮ନଂ ୱାର୍ଡ ଉପନିର୍ବାଚନର ପ୍ରଚାର ଶେଷ
ଆଦିବାସୀଙ୍କ ଶଶ୍ମାନ ଜମି ଜବରଦଖଲକୁ ବିଜେପି ପ୍ରସଙ୍ଗ କଲା
ଯୋଡା ପୌରପାଳିକା ୮ନଂ ୱାର୍ଡ ଉପନିର୍ବାଚନ ପ୍ରଚାରର ଅନ୍ତିମ ଦିନରେ ବିଜେପି, ବିଜେଡି ଓ ସ୍ୱାଧିନ ପ୍ରାର୍ଥୀଙ୍କ ପ୍ରଚାର ଜୋରଦାର ହୋଇଛି । ଡାକବାଜି ଯନ୍ତ୍ରର କର୍ଶଷ ଶବ୍ଦରେ କାନ ଫାଟିପଡୁଛି । ଚାରିଆଡେ କାନ୍ଥବାଡ ଖାଲି ପୋଷ୍ଟର ଓ ବ୍ୟାନରରେ ଛାଇ ହୋଇପଡିଛି । ପ୍ରାର୍ଥୀମାନେ ସେମାନଙ୍କର ସମର୍ଥକଙ୍କ ସହ ଘର ଘର ବୁଲି ଭୋଟରମାନଙ୍କୁ ଆକୃଷ୍ଠ କରିବାରେ ଲାଗିପଡିଛନ୍ତି । ଏହି ଅବସରରେ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜେପି ୮ନଂ ୱାର୍ଡରେ ଆଦିବାସୀଙ୍କ ଶଶ୍ମାନ ଜମି ପୁନଃ ଉଦ୍ଧାରକୁ ମୁଖ୍ୟ ପ୍ରସଙ୍ଗ କରିଛି । ଏକ ଘରୋଇ କମ୍ପାନୀ ସେମାନଙ୍କ ଶଶ୍ମାନ ଜମିକୁ ପ୍ରଶାସନ ମାଧ୍ୟମରେ ଦଖଲ କରିନେଇଥିବା ବେଳେ ଏଥିପାଇଁ ସମ୍ପୃକ୍ତ କାଉନସିଲର ପ୍ରାର୍ଥୀଙ୍କ ମାଧ୍ୟମରେ ଆଦିବାସୀଙ୍କ ହକ ନିମନ୍ତେ ବିଜେପି ଦୀର୍ଘ ଦିନ ଧରି ଲଢେଇ କରିଆସୁଛି ବୋଲି ପୂର୍ବତନ ରାଜ୍ୟ ସାଧାରଣ ସମ୍ପାଦକ ତଥା ବିଜେପିର ବରିଷ୍ଠ ନେତା ମୁରଲି ମନୋହର ଶର୍ମା କହିଛନ୍ତି । ସେ ଆହୁରୀ କହିଛନ୍ତି ଖଣିଜ ପାଣ୍ଠିକୁ ନବୀନ ସରକାରଙ୍କ ନିଜସ୍ୱ ପାଣ୍ଠି କହି ରାଜ୍ୟ ସରକାର ବାହାଦୁରି ନେଉଥିବା ବେଳେ କୋଟି କୋଟି ଟଙ୍କା ରାଜସ୍ୱ ଏ ଅଞ୍ଚଳରୁ ନେଉଥିଲେ ମଧ୍ୟ ଏହି ପାଣ୍ଠି ପ୍ରତିଷ୍ଠା ପରେ କେନ୍ଦୁଝର ଖଣି ଅଞ୍ଚଳକୁ ରାଜ୍ୟ ସରକାର ଟଙ୍କାଟିଏ ମଧ୍ୟ ଅନୁଦାନ ଦେଇନାହାନ୍ତି । କେନ୍ଦ୍ର ସରକାରଙ୍କ ଜାତୀୟ ରାଜପଥକୁ ରାଜ୍ୟ ସରକାର ନିଜସ୍ୱ କହୁଥିବା ବେଳେ ରାଜ୍ୟ ସରକାରଙ୍କ ଅଧିନ ଯୋଡା ଠାରୁ କାଳିମାଟି ରାଜ୍ୟ ରାଜପଥର ଦୂରାବସ୍ଥା କାହାରିକୁ ଅଛପା ନାହିଁ । ପ୍ରତ୍ୟେକ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବିଫଳତାକୁ ବିଜେପି ପ୍ରସଙ୍ଗ କରି ୮ନଂ ୱାର୍ଡ ବାସୀଙ୍କର ଆସ୍ଥା ଭାଜନ ହୋଇପାରିଛି ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏହି ସମ୍ମିଳନୀରେ ଚମ୍ପୁଆ ବିଧାନସଭା ପ୍ରଭାରୀ ରାଧାକାନ୍ତ ମହାନ୍ତ, ସଂଯୋଜକ ଦେବପ୍ରସାଦ ମିଶ୍ର, ଓବିସି କାର୍ଯ୍ୟାକାରିଣୀ ସଦସ୍ୟ ଚର୍ଚ୍ଚିଲ ମହାକୁଡ, ଯୁବ ମୋର୍ଚା ସଭାପତି ପ୍ରକାଶ ମଲ୍ଲିକ, ରାଜ୍ୟ ମହିଳା ମୋର୍ଚ୍ଚା ସଦସ୍ୟ ଶ୍ରଦ୍ଧାଞ୍ଜଳୀ କର, ପାର୍ଥ ସାରଥି ଷଡଙ୍ଗୀ, ସୁଶାନ୍ତ କୁମାର ବେବର୍ତ୍ତା, ବିଜେପି କାଉନସିଲର ଓ କର୍ମକର୍ତ୍ତାମାନେ ଉପସ୍ଥିତ ରହିଥିଲେ । ସେହିପରି ନବୀନ ସରକାରଙ୍କ ସମସ୍ତ ଲୋକାଭିମୁଖି ଯୋଜନାକୁ ପ୍ରସଙ୍ଗ କରି ବିଜେଡି ୮ନଂ ୱାର୍ଡ ବାସୀଙ୍କର ନିକଟତର ହେବାକୁ ପ୍ରୟାସ କରୁଛି । ଏଥିରେ ବିଜେଡିର ତୁଙ୍ଗ ନେତାମାନେ ଘନ ଘନ ବୈଠକ କରୁଥିବା ବେଳେ ପ୍ରଚାରର ଅନ୍ତିମ ଦିନରେ ମଧ୍ୟ ଚମ୍ପୁଆ ବିଧାୟୀକା ମିନାକ୍ଷୀ ମହାନ୍ତ, ଯୋଡା ପୌରାଧ୍ୟକ୍ଷ ଡା. ଜଗଦୀଶ ପ୍ରସାହ ସାହୁ, ବଡବିଲ ପୌରାଧ୍ୟକ୍ଷ ଲକ୍ଷ୍ମଣ ମହାନ୍ତ, ଜିଲା ବିଜେଡି ସଭାପତି ମାଧବ ସର୍ଦ୍ଦାର, ବିଜେଡି ଜିଲା ସହ ସମ୍ପାଦକ ବାବୁଲାଲ ସାହୁ, ଯୁବ ସଂଗଠକ ସୁଶାନ୍ତ ବାରିକ ପ୍ରମୁଖ ଉପସ୍ଥିତ ରହି ପ୍ରଚାରରେ ସାମିଲ ହୋଇଥିଲେ । ତେବେ ପ୍ରାର୍ଥୀପତ୍ର ଦାଖଲ ପରଠାରୁ କଂଗ୍ରେସ ପ୍ରାର୍ଥୀର କୌଣସି ଖୋଜ ଖବର ନଥିବା ବେଳେ ସ୍ୱାଧିନ ପ୍ରାର୍ଥୀ ରଞ୍ଜିତ ନାଏକ ମଧ୍ୟ ଏହି ଦୌଡରେ ପଛରେନଥିବା ଦେଖିବାକୁ ମିଳିଛି ।