ଧରାକୋଟ ବ୍ଲକ ର ଚାରିଛକ ଏକ ବ୍ୟସ୍ତ ବହୁଳ ବ୍ୟବସାୟ ପେଣ୍ଠ ଭାବରେ ପରିଚିତ। ଧରାକୋଟ ଠାରୁ ମାତ୍ର ଚାରି କିମି ଦୂରରେ ଏହା ଅବସ୍ଥିତ। ଧରାକୋଟ, ରୁଗୁମୁ ଓ ବାହାରପୁର ପଞ୍ଚାୟତ ର ସୀମା ଏଠାରେ ମିଶିଛି। ବରକୋଳି ଗୁମା ଗ୍ରାମ ସହ ମିଶି ଏଠାରେ ପ୍ରାୟ ଶହେ ପଚାଶ ଗୋଟି ପରିବାର ର ସାତଶହ ଲୋକ ବସବାସ କରନ୍ତି। ଏଠାରେ ଓଡିଶା ଆଦର୍ଶ ବିଦ୍ୟାଳୟ ରହିଥିବାରୁ ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟର ଶ୍ରେଣୀରେ ପାଠ ପଢା ସାରିବା ପରେ ସନ୍ଧ୍ୟା ସମୟରେ ଟିଉସନ କରନ୍ତି । ପାଖା ପାଖି କୋଡିଏ ଖଣ୍ଡ ଗାଁର ଲୋକେ ଏଠାକୁ ନିତିଦିନିଆ ବ୍ୟବସାୟ ଓ ସାମଗ୍ରୀ କିଣା କିଣି ପାଇ ପ୍ରତିଦିନ ଆସନ୍ତି । ଏଣୁ ଲୋକଙ୍କ ସୁବିଧା ପାଇଁ ଦାବୀ ହେବାପରେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ନିଜ ବିଧାୟକ ହାତ ପାଣ୍ଠିରୁ ଏକ ହାଇମାଷ୍ଟ ଲାଇଟ ଦୀର୍ଘ ଦିନ ପୁର୍ବରୁ ସ୍ଥାପନ କରିଛନ୍ତି । ହେଲେ ଏ ପର୍ଯ୍ୟନ୍ତ ଏଥିରେ ବିଦ୍ୟୁତ ସଂଯୋଗ ହୋଇନାହିଁ । ଏଣୁ ଏହା କାର୍ଯ୍ୟକ୍ଷମ ହୋଇନପରିବାରୁ ଲାଇଟ ଜଳୁନାହିଁ । ତିନୋଟି ପଞ୍ଚାୟତର ମିଳନ ସ୍ଥଳୀ ହେବାରୁ କୌଣସି ପଞ୍ଚାୟତ ଏହାର ରକ୍ଷଣ ବେକ୍ଷଣ ପାଇଁ ରାଜି ହେଉନାହାନ୍ତି । ଯାହାର କୁଫଳ ଲୋକେ ଭୋଗୁଛନ୍ତି । ସମ୍ପ୍ରତି ଦୀର୍ଘ ଦିନ ପରେ ରୁଗୁମୁ ପଞ୍ଚାୟତ ତରଫରୁ ଏହାକୁ କାର୍ଯ୍ୟକ୍ଷମ ପାଇଁ ପଦକ୍ଷେପ ନେବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏ ସମ୍ପର୍କରେ ରୁଗୁମୁ ସରପଞ୍ଚ ଙ୍କ ପ୍ରତିନିଧି ସୁଧାକର ସ୍ବାଇଁ ଙ୍କ ସହ ଯୋଗାଯୋଗ ବେଳେ ବିଦ୍ୟୁତ ବିଭାଗ ସହ କଥା ବାର୍ତ୍ତା ପରେ ଆବଶ୍ୟକୀୟ ଅର୍ଥ ଡିପୋଜିଟ କରାଯାଇଛି । ଖୁବ ଶୀଘ୍ର ଏହା କାର୍ଯ୍ୟକ୍ଷମ ହେବ ଓ ଲାଇଟ ଜଳିବ ବୋଲି ପ୍ରକାଶ କରିଛନ୍ତି। ଦୀର୍ଘଦିନ ର ପ୍ରତୀକ୍ଷା ପରେ କେବେ ହାଇମାଷ୍ଟ ଲାଇଟ ଜଳିବ ତାକୁନେଇ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ସୃଷ୍ଟି ହୋଇଛି।