ଆସିକା ତା ୧୮/୧୦- ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶକ୍ରମେ ଉଚ୍ଚ ଶିକ୍ଷା ବିଭାଗର ପ୍ରାୟୋଜିତ କାର୍ଯ୍ୟକ୍ରମ 'କ୍ରୀଡା ଓ ସଂସ୍କୃତି କ୍ଷେତ୍ରରେ ପ୍ରତିଭା ଅନ୍ବେଷଣ' ଆଜି ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଆନୁଷ୍ଠାନିକ ରୂପେ ସଫଳତାର ସହ ସଂପାଦିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏବଂ ପ୍ରାଧ୍ୟାପିକା ଡ.ସ୍ମିତାରାଣୀ ପଣ୍ଡାଙ୍କ ସଂଯୋଜନାରେ କାର୍ଯ୍ୟକ୍ରମଟି ସୁଚାରୂ ରୂପେ ସଫଳ ରୂପାୟନ ହୋଇପାରିଥିଲା। ଏହି ପରିପ୍ରେକ୍ଷୀରେ ଅଧ୍ୟାପିକା ମିନତି ବେହେରା ଅତିଥି ମାନଙ୍କ ଭବ୍ୟ ସ୍ବାଗତ କରଥିଲେ। ମୁଖ୍ୟ ଅତିଥିରୂପେ ମହାବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଅବସରପ୍ରାପ୍ତ ପ୍ରଫେସର ପ୍ରସନ୍ନ କୁମାର ପ୍ରଧାନ ଏବଂ ସମ୍ମାନିତ ଅତିଥିରୂପେ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ମେଜର ଡ. ଶଙ୍କର ପ୍ରସାଦ ଅଧିକାରୀ ମଞ୍ଚାସୀନ ଥିଲେ। ମଞ୍ଚାସୀନ ଅତିଥିଙ୍କୁ ଛାତ୍ରୀଙ୍କ ଦ୍ବାରା ପୁଷ୍ପଗୁଚ୍ଛ ପ୍ରଦାନ ଏବଂ ତତ୍ପାଶ୍ଚାତ ଅଧ୍ୟାପକ ଅଜିତ୍ କୁମାର ମୁନୀଙ୍କ ଦ୍ବାରା ଦେବମନ୍ତ୍ର ପାଠ ପୂର୍ବକ ଅତିଥିଙ୍କ ଦ୍ବାରା ଦେବ ବିଗ୍ରହରେ ପୁଷ୍ପ ମାଲ୍ୟାର୍ପଣ ତଥା ପ୍ରଦୀପ ପ୍ରଜ୍ଜ୍ବଳନ କରାଯାଇଥିଲା। ଛାତ୍ରୀମାନେ 'ବନ୍ଦେ ଉତ୍କଳ ଜନନୀ' ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ।ସଂଯୋଜିକା ଡ. ପଣ୍ଡା ଅତିଥି ପରିଚ଼ୟ ରଖିଥିଲେ। ଛାତ୍ରଛାତ୍ରୀମାନଙ୍କ ଭିତରେ କ୍ରୀଡା ତଥା ସଂସ୍କୃତି କ୍ଷେତ୍ରରେ ଯେଉଁ ସବୁ ଅନ୍ତର୍ନିହିତ ଗୁଣାବଳୀ ରହିଛି ତାହାର ପ୍ରଦର୍ଶନ ବିଶ୍ବବିଦ୍ୟାଳୟ ସ୍ତର ନିମନ୍ତେ ଏହି ଚୟନ ପ୍ରକ୍ରିୟାକୁ ସମସ୍ତ ଅତିଥି ସାଧୁବାଦ ଜଣାଇଥିଲେ ଏବଂ ବିଦ୍ୟାର୍ଥୀଙ୍କ ଏହି ପ୍ରତିଭାକୁ ଆନ୍ତଃ ବିଶ୍ବବିଦ୍ୟାଳୟ ତଥା ରାଜ୍ୟସ୍ତରରେ ମଧ୍ୟ କିପରି ସଫଳତାର ସହ ଲୋକାର୍ପିତ ହୋଇ ପାରିବ, ସେଥି ପାଇଁ ଅତିଥି ବୃନ୍ଦ ସମସ୍ତଙ୍କୁ ଆଶୀର୍ବାଦ ଏବଂ ପ୍ରମାଣ ପତ୍ର ସହ ଟ୍ରଫି ମାଧ୍ୟମରେ ପ୍ରୋତ୍ସାହନ କରିଥିଲେ। ଦୌଡ, ସଟଫୁଟ୍, କ୍ରିକେଟ୍, କବାଡ଼ୀ, ଖୋଖୋ, ତ୍ରିଭାଷୀ (ଓଡ଼ିଆ, ହିନ୍ଦୀ ଓ ଇଁଗ୍ରାଜୀ) ବତ୍କୃତା ଓ ନିବନ୍ଧ, ପେନସିଲ୍ ଚିତ୍ର, ଶାସ୍ତ୍ରୀୟ ନୃତ୍ୟ ଓ ସଂଗୀତ, ପଥପ୍ରାନ୍ତ ନାଟ୍ୟ ନାଟିକାର କୃତୀ ଛାତ୍ରଛାତ୍ରୀମାନଙ୍କୁ ମଞ୍ଚାସୀନ ଅତିଥିଙ୍କ ଦ୍ବାରା ପ୍ରମାଣପତ୍ର ସହ ପୁରସ୍କାର ବିତରଣ କରାଯାଇଥିଲା। ସୁସ୍ଥ ଶରୀର ଓ ମସ୍ତିଷ୍କ ଦ୍ବାରା ଲୁକ୍କାୟିତ ପ୍ରତିଭା ଜାଗ୍ରତ ହୋଇଥାଏ ବୋଲି ସମ୍ମାନିତ ଅତିଥି ମତ ପୋଷଣ କରିଥିଲେ। ମୁଖ୍ୟ ଅତିଥି ଏବଂ ଅଧ୍ୟକ୍ଷ ମଧ୍ୟ ନିଜର ପ୍ରଗଲ୍ଭ ବ୍ୟକ୍ତବ୍ୟରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଖେଳୁଆଡ ତଥା ସାଂସ୍କୃତିକ ମନବୃତ୍ତିକୁ ଉଦ୍ଜିବୀତ କରିଥିଲେ। ଅଧ୍ୟାପକ ଅଜିତ୍ କୁମାର ମୁନୀ କାର୍ଯ୍ୟକ୍ରମର ଆନୁଷାଙ୍ଗିକ କାର୍ଯ୍ୟରେ ସହଯୋଗ କରିଥିଲେ। ପରିଶେଷରେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପ୍ରାପ୍ତ କରିବା ପାଇଁ ଧୌର୍ଯ୍ୟର ମାପକାଠିକୁ ଜାଗ୍ରତ କରିବା ପାଇଁ କ୍ରୀଡା ଶିକ୍ଷକ ସନ୍ତୋଷ କୁମାର ପ୍ରଧାନ ସମସ୍ତ ଛାତ୍ରଛାତ୍ରୀଙ୍କୁ ଆହ୍ବାନ କରିଥିଲେ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ।