ଯୋଡା, ୧୮ା୧୦(sangharsatv) ଓଡିଶା ପବ୍ଲିକ ଆକାଉଣ୍ଟସ କମିଟି (ପିଏସି)ର ଅଧ୍ୟକ୍ଷ ତଥା ବିରୋଧି ଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଏକ ଦଳ ତିନି ଦିନ ଧରି କେନ୍ଦୁଝର ଜିଲା ଗସ୍ତ କରି ଗୁରୁବାର ତୃତୀୟ ଦିନରେ ଯୋଡା ଖଣି କ୍ଷେତ୍ରର ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି । ବୁଧୁବାର ଯୋଡାରେ ରାତ୍ରି ରହଣୀ ପରେ ଗୁରୁବାର ସକାଳେ ଏହି କମିଟି ଜେଏସ୍ଡବ୍ଲୁଙ୍କ ଜଜାଙ୍ଗସ୍ଥିତ ଲୌହ ଖଣି ପରିଦର୍ଶନ କରିଛନ୍ତି । ଏହି ସମୟରେ କମିଟି ଜଜାଙ୍ଗ ଖଣିରେ ଲୁହାପଥରର ମାନ ନିର୍ଦ୍ଧାରଣରେ ହେରଫେର, ଓଜନରେ ହେରଫେର, ଲୁହାପଥର ଷ୍ଟାଗ ନକରି ପରିବହନକୁ ନେଇ ଯୋଡା ଖଣି ବିଭାଗ ଉପରେ କ୍ଷୁବ୍ଧ ହୋଇଥିବା ଦେଖିବାକୁ ମିଳିଥିଲା । ଅଧ୍ୟକ୍ଷଙ୍କ ବବୃତ୍ତି ଅନୁଯାୟୀ ରାଜ୍ୟର ୧୫ଜଣ ବିଧାୟକ ଜେଏସଡବ୍ଲୁ ଖଣିରେ ଅନିୟମିତତା ନେଇ ମୁଖ୍ୟ ଶାସନ ସଚିବଙ୍କୁ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଆଧାର କରି ଷ୍ଟେଟ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଗତ ୦୩.୧୧.୨୦୨୦ ଏବଂ ୨୦.୧୧.୨୦୨୧ ଦୁଇଟି ପର୍ଯ୍ୟାୟରେ ଏହି ଖଣି ଉପରେ ଚଢଉ କରିଥିଲେ । ଏହି ଚଢଉରେ ଖଣି କମ୍ପାନୀ ଉଚ୍ଚମାନର ଲୁହାପଥରରକୁ ନିମ୍ନମାନର ଦର୍ଶାଇ ଟନ ପ୍ରତି ୨ହଜାରରୁ ୩ହଜାର ଟଙ୍କା ପର୍ଯ୍ୟନ୍ତ ରାଜସ୍ୱ ଫାଙ୍କୁଥିବା ନଜରକୁ ଆସିଥିଲା । ସେହିପରି ଲୁହାପଥର ପରିବହନ କ୍ଷେତ୍ରରେ କମ ଓଜନ ଦର୍ଶାଇ ଅଧିନ ଓଜନ ପରିବହନ କରାଯାଉଥିବା ଯାଞ୍ଚ ସମୟରେ ଧରାପଡିଥିଲା । ସ୍କ୍ୱାର୍ଡ ପକ୍ଷରୁ ଚଢଉ ସମୟରେ ଖଣିରୁ ଲୁହାପଥର ପରିବହନ ହେଉଥିଲେ ମଧ୍ୟ ଖଣିରେ ଲୁହାପଥର ଷ୍ଟାଗ (ଚାଟା) ନଥିବା ଦେଖିବାକୁ ମିଳିଥିଲା । ଫଳରେ ଏହି ଷ୍ଟେଟ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଖଣି କମ୍ପାନୀକୁ ୨ଟି ପର୍ଯ୍ୟାୟରେ ପ୍ରାୟ ୧୬ କୋଟି ଟଙ୍କା ଜୋରିମାନା କରିଥିଲେ ଏବଂ ୦୩.୧୧.୨୦୨୦ର ଚଢଉ ପରେ ୨୦.୧୧.୨୦୨୧ ଚଢଉରେ ମଧ୍ୟ ସମାନ ଅନିୟମିତତା ଦେଖିବାକୁ ମିଳିଥିଲା । ଫଳରେ ଏହି ଖଣି କମ୍ପାନୀ ନିୟମିତ ଭାବେ ଖଣିଜ କାରବାରରେ ହେରଫେର କରୁଥିବା ନେଇ ସ୍କ୍ୱାର୍ଡ କମ୍ପାନୀକୁ ଭତ୍ସନା କରିଥିଲେ । ବିଧାନସଭାରେ ମଧ୍ୟ ବିରୋଧି ଦଳ ନେତା ଏ ନେଇ ଏ ସଙ୍ଗୀନ ପ୍ରଶ୍ନ ଉତ୍ଥାପନ କରିଥିଲେ । ଯାହାର ଉତ୍ତର ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଜେଏସଡବ୍ଲୁର ଅନିୟମିତତା ଯୋଗୁଁ ତାଙ୍କୁ ଜୋରିମାନା କରାଯାଇଥିବା ଦର୍ଶାଇଥିଲେ । ଏହାକୁ ନେଇ ଗୁରୁବାର ଦିନ ପିଏସି କମିଟି-୧ର ଏହି ଗସ୍ତ ଆଉ ଥରେ ଜେଏସ୍ଡବ୍ଲୁ ଖଣି କମ୍ପାନୀର ମୁଖା ଖୋଲିଦେଇଛି । ଯୋଡା ଖଣି ବିଭାଗ ସହିତ ଏହି ଖଣି କମ୍ପାନୀର ଅନୈତିକ ସମ୍ପର୍କ ଥିବା କମିଟି ଗଣମାଧ୍ୟମକୁ ସୂଚନା ଦେଇଛି । କମିଟିର ଅଧ୍ୟକ୍ଷଙ୍କ ସୂଚନା ମୁତାବକ ୨ ବର୍ଷ ମଧ୍ୟରେ ଏହି ଖଣି କମ୍ପାନୀ ୨୫୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ରାଜ୍ୟ ସରକାରଙ୍କୁ ରାଜସ୍ୱ ଠକିବା ସହ ସମ୍ପୃକ୍ତ ଖଣି କମ୍ପାନୀର ଅଧିକାରୀଙ୍କ ବିରୋଧରେ ଖଣି ବିଭାଗର ଅଧିକାରୀ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଏ ନେଇ ଖଣି ବିଭାଗକୁ ପ୍ରଶ୍ନବାଣରେ ଘାଇଲା କରିଦେଇଥିଲେ । ଅନ୍ୟ ପକ୍ଷରେ ଖଣି ଚତୁପାଶ୍ୱର୍ରେ ସବୁଜ ବଳୟ ସୃଷ୍ଟି କରିବା ନେଇ କମ୍ପାନୀ ବିଫଳ ହୋଇଥିବା ଯୋଗୁଁ କମିଟି କ୍ଷୁବ୍ଧ ହୋଇଥିଲେ, ଯାହାର କୌଣସି ପ୍ରକାରର ସନ୍ତୋଷ ଜନକ ଉତ୍ତର ଉପସ୍ଥିତ ଥିବା କୌଣସି ଅଧିକାରୀ ଦେଇପାରିନଥିଲେ । ପରେ କମିଟି ଜେଏସଡବ୍ଲୁଙ୍କ ଜଜାଙ୍ଗ ଖଣି ଏବଂ କ୍ରସରରୁ କିଛି ଲୁହାପଥର ନମୁନା ସଂଗ୍ରହ କରି ସେଠାରୁ ଫେରିଯାଇଥିଲେ । ସେଠାରୁ ଏହି କମିଟି ଜେଏସଡବ୍ଲୁଙ୍କ ନାରାୟଣପଶି ଲୌହ ଖଣି, କାଶିଆ ଲୌହ ଖଣି, ଠାକୁରାଣୀସ୍ଥିତ ମିତ୍ତଲ ନିପନ ଷ୍ଟିଲ ଏଣ୍ଡ ପାୱାର ଖଣି ଗସ୍ତ କରି ସେଠାରେ ମଧ୍ୟ ଜାଜାଙ୍ଗ ଖଣିର ସମାନ ପରିସ୍ଥିତି ନେଇ କ୍ଷୋଭ ପ୍ରକାଶ କରିଥିଲେ । ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ ଏହି ଯାଞ୍ଚ ଚାଲୁରହିଥିବା ଯୋଗୁଁ ସବିଶେଷ ତଥ୍ୟ ମିଳିପାରିନାହିଁ । ତେବେ ଗଣମାଧ୍ୟମ ପ୍ରତିନିଧିଙ୍କ ଉତ୍ତରରେ କମିଟିର ଅଧ୍ୟକ୍ଷ ଖଣିରେ ଅନିୟମିତତା ନେଇ ସମସ୍ତ ରିପୋର୍ଟ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରାଯାଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିବେ ବୋଲି ସୂଚନା ଦେଇଥିଲେ । ଏହି କମିଟିରେ ରେଙ୍ଗାଳି ବିଧାୟକ ନାଉରି ନାଏକ, ନିଳଗିରି ବିଧାୟକ ସୁକାନ୍ତ ନାଏକ ସାମିଲ ଥିବା ବେଳେ କମିଟି ସହିତ ଚମ୍ପୁଆ ଉପଜିଲାପାଳ ସୁକାନ୍ତ ମାଝୀ, ଯୋଡା ଖଣି ଉପନିଦେ୍ର୍ଦଶକ ଦୀନେଶ ଅଗ୍ରୱାଲ, ଖଣି ବିଭାଗ ଅଧିକାରୀ, ଯୋଡା ପୌରକାର୍ଯ୍ୟନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା, ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଇଂ ପ୍ରଶାନ୍ତ କର ଏବଂ ଯନ୍ତ୍ରୀ ଇଂ. ନୀବେଦିତାଦାସ ବେବର୍ତ୍ତାଙ୍କ ସହ ବହୁ ଅଧିକାରୀ ଉପସ୍ଥିତ ରହିଥିଲେ ।
ରମେଶ ଚନ୍ଦ୍ର ମହାପାତ୍ର ଙ୍କ ରିପୋର୍ଟ