//BREAKING//
Loading...

୨୬ କୋଟିର ରାସ୍ତା ଗଲାନାହିଁ ୨୬ ମାସ

ପଞ୍ଚାୟତ ରାସ୍ତାରେ ଶହ ଶହ ଭାରିଯାନ ଚଳପ୍ରଚଳ;
ପିଚୁ ରାସ୍ତା ଏବେ ମାଟି ରାସ୍ତା, ଖାଲ ଖମାରେ ପୂର୍ଣ୍ଣ
୨୬ କୋଟିର ରାସ୍ତା ଗଲାନାହିଁ ୨୬ ମାସ

ବିଲେଇପଦା ୫୨୦ନଂ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ଦେଓଝର ପଞ୍ଚାୟତର ବିଲେଇପଦାରୁ ଝାଡଖଣ୍ଡର ନୁଆମୁଣ୍ଡି ଭାୟା ମୂର୍ଗା ମହାଦେବ ୧୦.୨ କିମି ପରିମିତ ପଞ୍ଚାୟତ ରାସ୍ତାଟିର କେଉଁ କାଳରୁ ପିଚୁ ଉଠି ମାଟି ରାସ୍ତା ଓ ଏବେ ସମ୍ପୂର୍ଣ୍ଣ ଭାବେ ଖାଲ ଖମାରେ ପରିପୂର୍ଣ୍ଣ ହୋଇପଡିଛି । ସରକାରୀ ନିୟମ ମୁତାବକ ପଞ୍ଚାୟତ ରାସ୍ତାରେ ଭାରିଯାନ ଚଳପ୍ରଚଳ ନିଷିଦ୍ଧ ଥିବା ବେଳେ ଏହି ରାସ୍ତା ଦେଇ ମୂର୍ଗାବେଡା ଲୌହ ଖଣି ଓ କାଟାମାଟି ଲୌହ ଖଣିରୁ ଶହ ଶହ ସଂଖ୍ୟାରେ ଲୁହାପଥର ବୋଝେଇ ଭାରିଯାନ ପ୍ରତିଦିନ ଚଳପ୍ରଚଳ କରିଥାନ୍ତି । ଏହି ଖଣି ଏବଂ ଶିଳ୍ପ ସମ୍ମୁଖ ଦେଇ ରାସ୍ତାଟି ଯାଇଥିଲେ ମଧ୍ୟ ଏଥିପ୍ରତି କାହାରି ଦୃଷ୍ଟି ପଡିନଥାଏ । ଏହି ରାସ୍ତାର ମୂର୍ଗା ଠାରେ ଏକ ଶୈବ ପୀଠ ରହିଥିବା ବେଳେ ଏହାକୁ ରାଜ୍ୟ ସରକାର ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେଇଛନ୍ତି । ଦୈନିକ ଅନେକ ପର୍ଯ୍ୟଟକ ଏହି ରାସ୍ତାରେ ସେଠାକୁ ଆସଥାନ୍ତି । ବିଶେଷ କରି ନୂଆ ବର୍ଷରେ ବଣଭୋଜି, ଶ୍ରାବଣ ମାସରେ ଜଳାଭିଷେକ ଏବଂ ପ୍ରତ୍ୟେକ ସୋମବାର ଗୁଡିକରେ ଏଠାରେ ପ୍ରବଳ ଭିଡ ଦେଖିବାକୁ ମିଳିଥାଏ । ତେବେ ଏହି ରାସ୍ତାରେ ଭାରିଯାନ ଚଳପ୍ରଚଳ ଯୋଗୁଁ ରାସ୍ତାରେ କେଉଁଠି ଆଣ୍ଠୁଏ ତ ଅନ୍ୟ କେଉଁଠି ଅଣ୍ଟାଏ ଖାଲଖମାରେ ରାସ୍ତାଟି ପରିପୂର୍ଣ୍ଣ ହୋଇପଡିଛି । ଫଳରେ ଯାତ୍ରୀମାନେ ଯିବା ଆସିବାରେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହୋଇଥାନ୍ତି । ବାରମ୍ବାର ଏହି ପଞ୍ଚାୟତ ରାସ୍ତାରେ ଦୁର୍ଘଟଣା ଘଟି ଧନଜୀବନ କ୍ଷୟ ହେଉଥିବା ନଜିର ମଧ୍ୟ ରହିଛି । ଏହି ରାସ୍ତା ଦେଇ ଦୈନିକ କୋଟି କୋଟି ଟଙ୍କାର ଲୁହାପଥର ପରିବହନ ହେଉଥିବା ବେଳେ ରାଜ୍ୟ ରାଜକୋଶକୁ ରାଜସ୍ୱରେ ଏହା ସମୃଦ୍ଧ କରିଥାଏ । ଏହା ସହିତ ଖଣି ଲିଜ୍ ଧାରୀମାନେ ମଧ୍ୟ ଲାଭବାନ ହୋଇଥାନ୍ତି । କିନ୍ତୁ ଏହି ରାସ୍ତାଟିର ମରାମତି ନିମନ୍ତେ ନାଁ ପ୍ରଶାସନ ନାଁ ଖଣି ଲିଜ୍ ଧାରୀ କାହାରି ହେଲେ ନିଘାନଥାଏ । ଖଣି ପ୍ରଭାବିତ ଜନସାଧାରଣଙ୍କ ବିକାଶ ଓ କଲ୍ୟାଣ ନିମିତ୍ତ କେନ୍ଦୁଝର ରାସ୍ତା ଓ ଗୃହ ନିର୍ମାଣ ବିଭାଗ ପକ୍ଷରୁ ଜିଲା ଖଣିଜ ପ୍ରତିଷ୍ଠାନ ସହାୟତାରେ ୨୦୧୮-୧୯ ଆର୍ଥôକ ବର୍ଷରେ ୨୬ କୋଟି ୭୮ ଲକ୍ଷ ୯୭ ହଜାର ଟଙ୍କାର ଏକ ବ୍ୟୟ ଅଟକଳ କରାଯାଇ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପାଦିତ ହୋଇଥିଲା । ସୁଚନା ଫଳକ ମୁତାବକ ୧୮.୧୨.୨୦୧୭ରେ କାର୍ଯ୍ୟ ଆରମ୍ଭ ହୋଇ ୧୭.୦୩.୨୦୧୯ରେ କାର୍ଯ୍ୟ ଶେଷ ହେବାର ଚୁକ୍ତି କରାଯାଇ ଏସ.କେ.ଏମ୍. ଇନଫ୍ରାଭେଞ୍ଚର ପ୍ରାଃ ଲିଃ ନାମକ ଏକ ଠିକା ସଂସ୍ଥାକୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇପାରିନଥିଲା । ତେବେ କାର୍ଯ୍ୟଟି ଧାର୍ଯ୍ୟ ଅନ୍ତିମ ସମୟ ମଧ୍ୟରେ ଆରମ୍ଭ କରାଯାଇନଥିବା ବେଳେ ଏ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ପରେ ଏହି ପିଚୁ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ତେବେ କାର୍ଯ୍ୟ ସରିବାର ୨୬ ମାସ ନପୁରୁଣୁ ଏହି ୨୬ କୋଟିର ରାସ୍ତା ଶୋଚନୀୟ ହୋଇପଡିଛି । ଏବେ ଏହା ଯାତାୟତ ଅନୁପଯୋଗୀ ହୋଇପଡିଥିବା ବେଳେ ନିମ୍ନମାନର କାର୍ଯ୍ୟ ଯୋଗୁଁ ଲୋକେ ଏବେ ଦୁର୍ଦ୍ଦଶା ଭୋଗକରୁଛନ୍ତି । ସମ୍ପୃକ୍ତ ରିସ୍ତା ନିର୍ମାଣର ଠିକାଦାର ଅରୁଣ ବିଶ୍ୱାଳ ବୋଲି ଜଣାପଡିଛି । ଏହି ରାସ୍ତାର ଦୂରାବସ୍ଥା ନେଇ କାଟାମାଟି ଲୌହ ଖଣି ପକ୍ଷରୁ ଡିଆର ପଟ୍ଟନାୟକଙ୍କ ମୂର୍ଗାବେଡା ଲୌହ ଖଣି ପର୍ଯ୍ୟନ୍ତ ଢଳେଇ ରାସ୍ତା ନିର୍ମାଣ କାର୍ଯ୍ୟ କରାଯାଉଥିବା ବେଳେ ଡିଆର ପଟ୍ଟନାୟକଙ୍କ ମୂର୍ଗାବେଡା ଖଣି କର୍ତ୍ତୁପକ୍ଷ ଏହି ରାସ୍ତା ନିର୍ମାଣ ଉପରେ ଦୃଷ୍ଟିନଦେଇ ଲାଭଖୋର ମନବୃର୍ତ୍ତି ରଖି ବେଧଡକ ଖଣିଜ ପରିବହନ କରିଚାଲିଛନ୍ତି । ଏବେ ଏହି ଖଣିର ବର୍ଯ୍ୟବସ୍ତୁଟି ମୁଖ୍ୟ ରାସ୍ତାକୁ ଆଚ୍ଛାଦିତ କରିବାକୁ ବସିଲାଣି । ତେବେ ଏଥିପ୍ରତି ପ୍ରଶାସନ ଏବଂ ଖଣି ବିଭାଗ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe