ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ସ୍ଥାନକୁ ଗଡ଼ିଲା ଘରୋଇ ବସ୍। ଆଜି ଦିନ ୧୦ ଟା ରୁ ପ୍ରତିବାଦ କରିବାକୁ ଚେତାବନୀ ଦେଇଥିଲା ଘରୋଇ ବସ୍ ମାଲିକ ସଙ୍ଘ। ଡ୍ରାଇଭର ମାନଙ୍କ ଆନ୍ଦୋଳନ ଯୋଗୁଁ ବିଭିନ୍ନ ବସ୍ ଷ୍ଟାଣ୍ଡ ଓ ରାସ୍ତାରେ ସ୍ୱାଭାବିକ ପରିସ୍ଥିତି ନଥିବାରୁ ଘରୋଇ ବସ୍ ଚଳାଚଳ ବନ୍ଦ କରିଥିଲା ସଙ୍ଘ। ଭୁବନେଶ୍ୱରର ବରମୁଣ୍ଡା ଓ କଟକ ବାଦାମବାଡ଼ି ବସ୍ ଷ୍ଟାଣ୍ଡ୍ ରେ ସ୍ୱାଭାବିକ ହୋଇଛି ବସ୍ ଚଳାଚଳ। ତଥାପି ପରିସ୍ଥିତି ଉପରେ ନଜର ରଖାଯାଇଛି, ଦିନ ୧ଟା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସଙ୍ଘ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁ ତେଲ ଟ୍ୟାଙ୍କର ନଆସୁଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପେଟ୍ରୋଲ ଅଭାବ ଦେଖା ଦେଇଛି। ଭୁବନେଶ୍ୱରର ବିଭିନ୍ନ ପେଟ୍ରୋଲ ପମ୍ପରେ ଗତକାଲି ବିଳମ୍ବିତ ରାତିରେ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା। ଆଗକୁ ପେଟ୍ରୋଲ ଅଭାବ ହେବା ସନ୍ଦେହରେ ଏକାଥରେ ପାଞ୍ଚ ଲିଟର କି ସାତ ଲିଟର ପେଟ୍ରୋଲ ପକାଇଛନ୍ତି ଲୋକେ। ଆଜି ସକାଳୁ ପରିସ୍ଥିତି ବହୁ ମାତ୍ରାରେ ସ୍ୱାଭାବିକ ହୋଇଛି। ଇଣ୍ଡିଆନ ଅଏଲ ର ପେଟ୍ରୋଲ ପମ୍ପ ଗୁଡ଼ିକରେ ତେଲ ମିଳିବା ସ୍ୱାଭାବିକ ହୋଇଛି। କିନ୍ତୁ ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ ର କେତେକ ପେଟ୍ରୋଲ ପମ୍ପରେ ଦିନ ୧୨ ରୁ ୧ଟା ଭିତରେ ତେଲ ପହଞ୍ଚିବା ନେଇ ସୂଚନା ମିଳିଛି।
ବ୍ୟୁରୋ