//BREAKING//
Loading...

ରେଳ ବିଭାଗର ଅବହେଳା ଯୋଗୁଁ ଯାତ୍ରୀ ହନ୍ତସନ୍ତ


ଯୋଡ଼ା ରୁ ରମେଶ ଚନ୍ଦ୍ର ମହାପାତ୍ର ୨୫/୦୫ : କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ମଣ୍ଡଳ ସବୁ ସମୟରେ ରେଳ ବିଭାଗ ହେଉ କିମ୍ୱା ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଆର୍ଥିକ ସୁଦୃଢ଼ କରି ଆସିଛି । ଏ ଅଞ୍ଚଳରେ ଭରି ରହିଛି ପ୍ରାକୃତିକ ଖଣିଜ ପଦାର୍ଥ । ଖଣିଜ ପରିବହନ କରି ରେଳ ବିଭାଗ କୋଟି କୋଟି ଟଙ୍କା ରୋଜଗାର କରୁଛି ହେଲେ ଲୋକଙ୍କ ସମସ୍ୟା ନକହିଲେ ଭଲ । ବହୁଦିନ ଦାବି ପରେ ଯୋଡ଼ା ଖଣି ମଣ୍ଡଳକୁ ଲୋକଙ୍କ ଯାତାୟାତ ସୁବିଧା ନିମନ୍ତେ ପୁରୀ ବଡ଼ବିଲ ଇଣ୍ଟର ସିଟି ନାମକ ଏକ ଯାତ୍ରୀବାହୀ ଟ୍ରେନ ଚଳାଚଳ କରୁଛି । କିନ୍ତୁ ବିଡ଼ମ୍ବନାର ବିଷୟ ଯାତ୍ରୀ ମାନଙ୍କ ଦୁଃଖ କହିଲେ ନସରେ । ରେଳ ଯୋଗେ ଖଣିଜ ପରିବହନକୁ ପ୍ରାଧାନ୍ୟ ଦେବାକୁ ଯାଇ ଯାତ୍ରୀବାହୀ ଟ୍ରେନ ଟିକୁ ବିଭିନ୍ନ ରେଳ ଷ୍ଟେସନରେ ଘଣ୍ଟା ଘଣ୍ଟା ଛିଡା କରି ଦିଆଯାଉଛି । ପ୍ରକାଶ ଯୋଗ୍ୟ ଉକ୍ତ ଟ୍ରେନରେ କୌଣସି ବ୍ୟବସାୟୀ ବ୍ୟବସାୟ କରିବାକୁ ଆସୁନଥିବା ବେଳେ ପୁରୀ କିମ୍ବା ଭୁବନେଶ୍ୱରରୁ ଆସୁଥିବା ବ୍ୟକ୍ତି , ମହିଳା , କୁନି କୁନି ପିଲା ଭୋକ ଉପାସରେ ଦିନ ୩ ଘଟିକା ପର୍ଯ୍ୟନ୍ତ ପଡି ରହୁଛନ୍ତି । ଏବେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ପାରଦ ପ୍ରାୟ ୪୦ ଡିଗ୍ରୀ ଉପରେ ରହୁଥିବା ଜଣାପଡିଛି । ଗୁଳୁଗୁଳି ସାଙ୍ଗକୁ ଅସହ୍ୟ ତାତିରେ ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି । ଏପରିସ୍ଥଳେ କୌଣସି ବ୍ୟକ୍ତିର ଅଂଶୁଘାତ ନହେବ ବୋଲି କହିହେବ ନାହିଁ । ରେଳ ବିଭାଗର ଅବହେଳା ଯୋଗୁଁ କୌଣସି ମୁହୂର୍ତ୍ତରେ ଯାତ୍ରୀର ଜୀବନ ଯାଇପାରେ । ଏଠାରେ ପ୍ରଶ୍ନ କୌଣସି ଅଘଟଣ ଘଟିଲେ ଏଥିପାଇଁ ରେଳ ବିଭାଗ ଦାୟୀ ରହିବକି । ଏ ସମ୍ପର୍କରେ ଦାୟିତ୍ୱରେ ଥିବା ବାଂସପାଣି ଷ୍ଟେସନ ମାଷ୍ଟରଙ୍କୁ ପଚାରିବାରୁ ସେ ମୁଁ କିଛି କହି ପାରିବି ନାହିଁ ବୋଲି କହିବା ସହିତ ଯାତ୍ରୀ ମାନଙ୍କୁ ନାଲିଆଖି ଦେଖାଉଥିବା ଅଭିଯୋଗ ହୋଇଛି । ଷ୍ଟେସନ ମାଷ୍ଟରଙ୍କ ଅବହେଳା ଯୋଗୁଁ ସବୁଦିନ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଉଛି ଏବଂ ଷ୍ଟେସନ ମାଷ୍ଟର କମ୍ପାନୀ ମାନଙ୍କ ସହିତ ମଧୁର ସମ୍ପର୍କ ରଖି ଏଭଳି ଅମାନୁଷିକ କାର୍ଯ୍ୟ କରୁଛନ୍ତି ବୋଲି ସାଧାରଣରେ ଅଭିଯୋଗ ହୋଇଛି । ତୁରନ୍ତ ଏ ସମସ୍ୟାର ସମାଧାନ କରାନଗଲେ ଏକ ବଡ଼ ଧରଣର ରେଳ ରୋକ ଆନ୍ଦୋଳନ କରାଯିବ ବୋଲି ଅଂଚଳ ବାସିନ୍ଦା ଚେତାବନୀ ଦେଇଥିବା ଜଣାପଡିଛି ।

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe