ଆସିକା,(ନି:ପ୍ର): ଭଞ୍ଜନଗର ପୂର୍ତ୍ତ ବିଭାଗ
ଡିଭିଜନ ଅଧୀନ ଗାଙ୍ଗପୁର ଓ ସୋରଡ଼ା ସେବନର
୨୪ କିମି ଓ.ଡି.ଆର ରୋଡ ନିର୍ମାଣ ପାଇଁ ୨୪
କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ଏହି ରାସ୍ତା ତିଆରି
କରିବା ପାଇଁ ଦୁଇ ବର୍ଷ ପୂର୍ବରୁ ବିଭାଗ ପକ୍ଷରୁ ଟେଣ୍ଡର
କରାଯାଇଥିଲା। ଏହି ରାସ୍ତା ନିର୍ମାଣ ପାଇଁ ବ୍ରହ୍ମପୁର
ସାମନ୍ତରାୟ କାନଷ୍ଟ୍ରାକ୍ସନ କୁ ଟେଣ୍ଡର ଦିଆ ଯାଇଥିଲା ।
ବିଭାଗୀୟ ଚୁକ୍ତି ମୁତାବକ ଏହି କମ୍ପାନୀ ୨୦୨୨
ଅକ୍ଟୋବର ସୁଦ୍ଧା ଝଗଡେଇ ନିକଟ ମଙ୍ଗଳପୁର
ଛକରୁ ଭାୟା ଜାହାଡା ଦେଇ ସୋରଡ଼ା ନୂଆଗାଁ ଛକ
ପର୍ଯ୍ୟନ୍ତ ଦୀର୍ଘ ୨୪ କିମି ରାସ୍ତା କାର୍ଯ୍ୟ ଶେଷ କରିବାର
ଥିଲା । ବହୁ ବିଳମ୍ବରେ ଅକ୍ଟୋବର ୨୦୨୨ରୁ କାର୍ଯ୍ୟ
ଆରମ୍ଭ ହୋଇଥିଲା। ୨୦୨୨ ଅକ୍ଟୋବର ମାସରୁ
୨୦୨୩ ମାର୍ଚ୍ଚ ୫ ମାସ ମଧ୍ୟରେ ଜାହାଡା ଠାରୁ
ଜଗମୋହନ, ନନ୍ଦିଗୋର, ଚମ୍ପାପଲ୍ଲୀ, ନୂଆଗାଁ ଛକ,
ଗଙ୍ଗାପୁର ଓ ମଙ୍ଗଳ ପୁର ଛକ ପର୍ଯ୍ୟନ୍ତ ହୋଇଥିବା
ରାସ୍ତା, କଲଭଟ, ବକ ବ୍ରିଜ କାର୍ଯ୍ୟ ନିମ୍ନ ମାନର
ହେଉଥିବା ଯୋଗୁଁ ସ୍ଥାନୀୟ ନନ୍ଦିଗୋର, ଗଙ୍ଗା ପୁର ଓ
ମଙ୍ଗଳପୁର ପଞ୍ଚାୟତ ଲୋକ ପ୍ରତିନିଧି ମାନେ ପ୍ରତିବାଦ
କରିବା ପରେ କାର୍ଯ୍ୟ ବନ୍ଦ ରହିଥିଲା। ପରେ ଆସିକା
ବିଧାୟିକା ମଞ୍ଜୁଳା ସ୍ୱାଇଁ ଏହି ବିବାଦୀୟ କାର୍ଯ୍ୟ ଆରମ୍ଭ
କରିବା ପାଇଁ ଆସି ଶୁଭ ଉଦଘାଟନ କରି ତୁରନ୍ତ କାର୍ଯ୍ୟ
ଆରମ୍ଭ କରିବା ପାଇଁ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ
ଦେଇଥିଲେ । ଏହା ସତ୍ତ୍ବେ ଏହି କାର୍ଯ୍ୟ ଠିକାଦାର ଜଣକ
ଏବେ ସୁଦ୍ଧା ଆରମ୍ଭ କରିନାହାନ୍ତି । ଠିକା ଦାର ଜଣକ
ନିଜ ଇଚ୍ଛା ମୁତାବକ ବିଭାଗର ସମସ୍ତ ନିୟମ ଭାଙ୍ଗି
ରାସ୍ତା ଗୁଡିକ ଖୋଳି ଖାଲ ଖମା ସାଙ୍ଗକୁ ଡ଼ାଇଭର୍ଶନ
କରି ସମ୍ପୂର୍ଣ ରାସ୍ତା ଟିକୁ ନଷ୍ଟ କରିଦେଇଛନ୍ତି । ଯାହା
ଫଳରେ ଆସିକାରୁ ଜାହାଡା ସୋରଡ଼ା କୁ ଦୈନନ୍ଦିନ
ଯାଉଥିବା କରୁଥିବା ୩୦ଖଣ୍ଡ ଗ୍ରାମର ଲୋକେ ନାହିଁ
ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯାନବାହାନ
ଯିବା ତ ଦୂରର କଥା ଚାଲିବା ପାଇଁ ମଧ୍ୟ ସମ୍ଭବପର
ହେଉନାହିଁ । ଦୈନିକ ସ୍କୁଲ ଯିବା ଆମ୍ବୁଲାନ୍ସ ଯାତାୟାତ
ସମ୍ପୂର୍ଣ ରୂପେ ଠପ ହୋଇଯାଇଛି । ଏହି କାର୍ଯ୍ୟ ବିଳମ୍ବ
ଓ ନିମ୍ନ ମାନର ହୋଇଥିବା ସତ୍ତ୍ବେ ସ୍ଥାନୀୟ ଅଞ୍ଚଳ ବାସୀ
ବାରମ୍ବାର ପୂର୍ତ୍ତ ବିଭାଗ ଉଚ୍ଚ ଅଧିକାରୀ ଓ ଜିଲ୍ଲା
ପ୍ରଶାସନକୁ ଲିଖତ ଆକାରରେ ଅଭିଯୋଗ କଲେ ମଧ୍ୟ
ଠିକାଦାର ଜଣକ ପ୍ରଭାବଶାଳୀ ଥିବା ଯୋଗୁଁ ଠିକାଦାରଙ୍କ
ବିରୁଦ୍ଧରେ ବିଭାଗ କୌଣସି ପଦକ୍ଷେପ
ନେଉନାହାନ୍ତି । ତୁରନ୍ତ ଏହି ରାସ୍ତା ନିର୍ମାଣର ବିଳମ୍ବ
ଓ ନିମ୍ନ ମାନର କାର୍ଯ୍ୟକୁ ପୂର୍ତ୍ତ ବିଭାଗ ପ୍ରମୁଖ ସଚିବ
ତଦନ୍ତ କରି ଏହି ଭଳି ଏକ ଦାୟିତ୍ଵ ହୀନ ଓ ଦୁର୍ନୀତି
ଖୋର ଠିକାଦାରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ
ଗ୍ରହଣ କରି ସମ୍ପୃକ୍ତ ଠିକାଦାରକୁ ବ୍ଲାକ ଲିଷ୍ଟେଡ୍
କରିବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ହେଉଛି।