Ex
ଧରାକୋଟ,22/5/23
ଧରାକୋଟ ଓ ଏହାର ଆଖପାଖ ଅଞ୍ଚଳ ବାହାରପୁର, ରୁଗୁମୁ, ଓଳମ୍ବା, ମାଣିକପୁର, ସାବା, ମଛାକୋଟ,ହରିପୁର, ବରଡାବିଲି, ଦଶମାଇଲି, ସିଙ୍ଗିପୁର, ଜାହାଡା, ଜଗମୋହନ , ଝରପାରି ଓ ଝାଡବନ୍ଧ ପ୍ରଭୃତି ଗ୍ରାମରେ ସରକାରୀ ସଂସ୍ଥା ବି ଏସ ଏନ ଏଲ ସମେତ ଏଇରଟେଲ, ଭୋଡାଫୋନ ଆଦି ମୋବାଇଲ ନେଟୱର୍କ ସଠିକ ଭାବରେ ଆସୁନାହିଁ । ବାହାରପୁର ଠାରେ ଦୀର୍ଘ ଦିନ ପୁର୍ବରୁ ବି ଏସ ଏନ ଏଲ ଟାୱାର ସ୍ଥାପନ ହୋଇଥିଲେ ମଧ୍ୟ ଏହାକୁ କାର୍ଯ୍ୟକ୍ଷମ କରାଯାଇନାହିଁ। ଯାହା ଫଳରେ ପାଖା ପାଖି ପାଞ୍ଚୋଟି ପଞ୍ଚାୟତ ଅଞ୍ଚଳର ଲୋକେ ଏହି ସଂସ୍ଥାର ଗ୍ରାହକ ହୋଇଥିଲେ ମଧ୍ୟ ନେଟୱାର୍କ ସୁବିଧାରୁ ବଂଚିତ ହେଉଥିବା ଅଭିଯୋଗ ହେଉଛି। ଏପରିକି ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହେଲେ ଆପେ ଆପେ ବି ଏସ ଏନ ଏଲ ନେଟୱାର୍କ ଚାଲିଯାଉଛି। ସେହିପରି ନିକଟରେ ଡାକିବଜା ଓ କାନଗିରିଡି ଗ୍ରାମରେ ଏୟାରଟେଲ ଟାୱାର ସ୍ଥାପନ ହେବା ପରେ ଅଞ୍ଚଳରେ ଏହି ସଂସ୍ଥାର ଗ୍ରାହକ ସଂଖ୍ୟା ବେଶ ବୃଦ୍ଧି ପାଇଥିଲା । ହେଲେ ବର୍ତ୍ତମାନ ଦୀପ ତଳ ଅନ୍ଧାର ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଟାୱାର ନିକଟସ୍ଥ ଗ୍ରାମରେ ଏୟାରଟେଲ ନେଟୱର୍କ ଠିକ ଭାବରେ ଆସୁନାହିଁ । ଏଣୁ ଲୋକେ ବେଶ ହନ୍ତସନ୍ତ ହେଉଛନ୍ତି। ଧରାକୋଟ ରେ ଦୀର୍ଘଦିନ ପୂର୍ବରୁ ବି ଏସ ଏନ ଏଲ ଟାୱାର ସ୍ଥାପନ ହୋଇଥିଲେ ମଧ୍ୟ ଟେଲିଫୋନ ଏକ୍ସଚେଞ୍ଜ ରେ ଜେନେରେଟର ବ୍ୟବସ୍ଥା ନାହିଁ । ଏଣୁ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହେଲେ ଆପେ ଆପେ ନେଟୱାର୍କ ଚାଲିଯାଉଛି। ଯାହା ଫଳରେ ନେଟ ସଂଯୋଗ ବିଚ୍ଛିନ୍ନ ହେଉଛି । ଏଣୁ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ଡାକ ଘର ର ସେବା ବାଧାପ୍ରାପ୍ତ ହେଉଥିବା ବେଳେ ଛାତ୍ର ଛାତ୍ରୀ ମାନଙ୍କ ପାଠ ପଢ଼ାରେ ଅସୁବିଧା ସୃଷ୍ଟି ହେଉଛି । ଅନ୍ୟ ପଟରେ ବିଭିନ୍ନ ସଂସ୍ଥାର ଗ୍ରାହକ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ଟାୱାରର କ୍ଷମତା ବୃଦ୍ଧି କରାଯାଉନାହିଁ କିମ୍ବା ନୂଆଁ ଟାୱାର ସ୍ଥାପନ କରାଯାଉନାହିଁ । ଏଣୁ ଯୋଗାଯୋଗ ବେଳେ ଅଧିକାଂଶ ଲାଇନ ବ୍ୟସ୍ତ ରହୁଛି। ଯାହା ଫଳରେ ଆବଶ୍ୟକତା ଅନୁସାରେ କାର୍ଯ୍ୟ ସମ୍ପନ୍ନ ହୋଇପାରୁନାହିଁ । ଦିନକୁ ଦିନ ବିଭିନ୍ନ ସଂସ୍ଥା ପକ୍ଷରୁ ମାସିକ , ଦ୍ୱୀମାସିକ, ତ୍ରୀମାସିକ ଠାରୁ ବାର୍ଷିକ ପେକେଜର ମୂଲ୍ୟରେ ବୃଦ୍ଧି କରାଯାଉଛି,କିନ୍ତୁ ସେହି ଅନୁପାତରେ ଗ୍ରାହକ ମାନଙ୍କୁ ସେବା ଯୋଗାଇ ଦିଆଯାଉନାହିଁ ଏଣୁ ସରକାରୀ ସଂସ୍ଥା ବି ଏସ ଏନ ଏଲ ସମେତ ଅନ୍ୟ ସଂସ୍ଥା ପକ୍ଷରୁ ଗ୍ରାହକ ମାନଙ୍କୁ ସେବା ଯୋଗାଇ ଦେବା ଉପରେ ଗୁରୁତ୍ବ ଦେବାକୁ ଦାବୀ ହେଉଛି।