ଧରାକୋଟ,12/8/23
ଧାରା ଶ୍ରାବଣ ମାସରେ ଚାଷ ଜମି ସବୁଜିମା ହୋଇ ହସିଲା ପୁରିଲା ଲାଗିବା ବଦଳରେ ହଳଦିଆ ରଙ୍ଗ ଧାରଣ କଲାଣି। ମୌସୁମୀ ର ଲୁଚକାଳି ଖେଳ ସାଙ୍ଗକୁ ଅଭାବୀ ବର୍ଷା ଯୋଗୁଁ ଚାଷୀ ଆଖିରୁ ଲୁହ ଝରୁଛି। ନିଜ ଆଖି ଆଗରେ ବର୍ଷ ଯାକର ଅମଳ ହେବାକୁ ଥିବା ଫସଲ ନଷ୍ଟ ହେବାକୁ ବସିଲାଣି। ବନ୍ଧ,ଗାଡିଆ, ନଈ,ପୋଖରୀ ଶୁଖିଲା ପଡ଼ିଛି। ପ୍ରଥମରୁ ଅଭାବୀ ବର୍ଷା ଯୋଗୁଁ ଚାଷ କାର୍ଯ୍ୟ ଧିମା ପଡ଼ିଥିଲା । ଲଘୁଚାପ ଜନିତ ବର୍ଷାରେ ରୁଆ ବେଉଷଣ କାମ ଆଗେଇ ଚାଲିଥିବା ବେଳେ ପୁଣି ବର୍ଷା ଉଭାନ ହୋଇଯାଇଥିବା ଯୋଗୁଁ ଚାଷୀର ଚିନ୍ତା ବଢିଥିଲା । ବ୍ଲକରେ 5748 ହେକ୍ଟର ଜମିରେ ଖରିଫ ଚାଷ କରାଯିବାର ଲକ୍ଷ୍ୟ ରହିଥିବା ବେଳେ ବର୍ଷା ଅଭାବ ଯୋଗୁଁ ତାହା ପଚାଶ ପ୍ରତିଶତ ପୁରଣ ହୋଇପାରିନାହିଁ । ଅନ୍ୟ ପଟରେ ତଳି ବୁଢ଼ା ହେବାକୁ ବସିଲାଣି। ପାଣି ଅଭାବରୁ ତଳି ଭଙ୍ଗା କାମ ଧିମେଇ ଯାଇଛି । ସେପଟେ ରୁଆ ଜମିସବୁ ଫଟିବା ଆରମ୍ଭ କଲାଣି । ଏହାକୁ ନେଇ ଚାଷୀର ଚିନ୍ତା ବଢ଼ିବାରେ ଲାଗିଛି। ବ୍ଲକ ବାହାରପୁର, ରୁଗୁମୁ,ଓଲମ୍ବା, ବରଡା ବାଲି, ସିଙ୍ଗିପୁର, ଜାହାଡା,ଜଗମୋହନ, ଝାଡବନ୍ଧ, ଝରପାରି, ସାବା ପ୍ରଭୃତି ପଞ୍ଚାୟତର ଚାଷ କାର୍ଯ୍ୟ ପାଣି ସମସ୍ୟା ଯୋଗୁଁ ଏକ ରକମ ବନ୍ଦ ରହିଛି। ଉପଯୁକ୍ତ ପ୍ରଚାର ଓ ପ୍ରସାର ହୋଇନପାରିବାରୁ ଅଧିକାଂଶ ଚାଷୀ ଫସଲ ବୀମା ଯୋଜନା ରେ ସାମିଲ ହୋଇପାରି ନାହାନ୍ତି । ଅନ୍ୟ ପଟରେ ସରକାରଙ୍କ ତରଫରୁ ଜଳସେଚନ ର ସୁବିଧା ପାଇଁ କେନାଲ ସମ୍ପ୍ରସାରଣ, ଆଡି ବନ୍ଧ ନିର୍ମାଣ, ଚେକଡ୍ୟାମ ନିର୍ମାଣ ପାଇଁ କୌଣସି ଯୋଜନା ପ୍ରସ୍ତୁତ କରାଯାଉନାହିଁ । ସେପଟେ ନାମଫଳକ ରେ ସୀମିତ ରହିଛି ଉଠା ଜଳସେଚନ ବିଭାଗ । ଧରାକୋଟ ବ୍ଲକରେ କାଗଜ କଲମ ରେ 80 ଗୋଟି ଉଠା ଜଳସେଚନ ପଏଣ୍ଟ ରହିଥିବା ବେଳେ ମାତ୍ର 8 ଗୋଟି ଚାଲୁଛି। ବିଭାଗୀୟ କାର୍ଯ୍ୟାଳୟ କେବେ ଖୋଲୁଥିବା ବେଳେ ଲତା ବୁଦା ପରିପୂର୍ଣ ହୋଇ ଏହା ଅସାମାଜିକଙ୍କ ଆଡ୍ଡାସ୍ଥଳୀ ରେ ପରିଣତ ହେଲାଣି । ଆଶ୍ଚର୍ଯ୍ୟର କଥା ଅଭାବୀ ବର୍ଷା କୁ ନେଇ ଏପଟେ ଚାଷୀ ଆଖିରୁ ଲୁହ ଝରୁଛି ସେପଟେ ଉଠା ଜଳସେଚନ ପଏଣ୍ଟ କାର୍ଯ୍ୟକ୍ଷମ ହେଉ କିମ୍ବା ସ୍ଥାୟୀ ଜଳସେଚନ ବ୍ୟବସ୍ଥା ର ବନ୍ଦୋବସ୍ତ ପାଇଁ ନା ପ୍ରଶାସନ ନା ରାଜନେତା କାହାରି ଆନ୍ତରିକତା ନଥିବା ପରି ମାନେ ହେଉଛି।