ବିଶିଷ୍ଟ ନୃତ୍ୟଗୁରୁ କୃଷ୍ଣଚନ୍ଦ୍ର ନାୟକଙ୍କ ପରଲୋକ
ଜଗତସିଂହପୁର,୩୧/୮(ଆ.ପ୍ର) ଜଗତସିଂହପୁର ବ୍ଲକ ଅନ୍ତର୍ଗତ ଓଡଶୋ ପଞ୍ଚାୟତରେ ଅବଧି ଆନନ୍ଦ ପୁର ଗ୍ରାମର ବିଶିଷ୍ଟ ନୃତ୍ୟଗୁରୁ ଓ ତବଲା ବାଦକ କୃଷ୍ଣଚନ୍ଦ୍ର ନାୟକଙ୍କର ୮୭ବର୍ଷ ବୟସରେ ପରଲୋକ ହୋଇଯାଇଛି । ସ୍ବର୍ଗତ ନାୟକ ଜଣେ ଦକ୍ଷ ତବଲା ବାଦକ ଓ ନୃତ୍ୟ ଗୁରୁ ଭାବରେ ସମଗ୍ର ଜିଲ୍ଲାରେ ସୁପରିଚିତ । ସେ ୧୯୪୮ ମସିହାରେ ମାତ୍ର ୧୨ ବର୍ଷ ବୟସରେ ଯାତ୍ରା ଜଗତରେ ପାଦ ଥାପି ନୃତ୍ୟ ସହ ଅଭିନୟ ଆରମ୍ଭ କରିଥିଲେ। ପ୍ରଥମେ ରାଜେଶ୍ୱରୀ ଗଣନାଟ୍ୟ,ରାଢଙ୍ଗ ଅପେରା, ତୁଳସୀ ଗଣନାଟ୍ୟ, ଗୌରୀ ଗଣନାଟ୍ୟ, ତାରପୁର ଅପେରା, ଚର୍ଚ୍ଚିକା ଗଣନାଟ୍ୟ ସହ ବିଭିନ୍ନ ଯାତ୍ରା ପାଟିରେ ଦକ୍ଷତାର ସହ କାର୍ଯ୍ୟ କରି ୧୯୯୫ମସିହାରେ ଅବସର ନେଇଥିଲେ । ସେ ଜୀବନ କାଳ ମଧ୍ୟରେ ବିଭିନ୍ନ ସଂଗଠନରୁ ସମ୍ବର୍ଦ୍ଧନା ପାଇବା ସହ ପୁରସ୍କୃତ ହୋଇଥିଲେ। ଯାତ୍ରା ପାଟିରୁ ଅବସର ନେବା ପରେ ସେ ବିଭିନ୍ନ କଳା ବିକାଶ କେନ୍ଦ୍ରରେ ନୃତ୍ୟଗୁରୁ ଭାବରେ କାର୍ଯ୍ୟ କରୁଥିଲେ । ସେ ଜଣେ ପରୋପକାରୀ, ମିଷ୍ଟଭାଷୀ ଓ ଧର୍ମ ପରାୟଣ ବ୍ୟକ୍ତି ଥିଲେ। ନିଜ ଗ୍ରାମ ଶଶ୍ମାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ଏକମାତ୍ର ପୁତ୍ର ପ୍ରଦ୍ୟୁମ୍ନ ମୁଖାଗ୍ନି ଦେଇଥିଲେ । ସେ ଜ୍ଞାନ ଜ୍ୟୋତି କଳା ବିକାଶ କେନ୍ଦ୍ରରେ ନୃତ୍ୟଗୁରୁ ଭାବେ ତାଙ୍କର ପରାକାଷ୍ଟା ପ୍ରତିପାଦନ କରିଥିଲେ। ଏଥିରେ ରିଚ୍ ଲୁକ୍ କିଡସ ପ୍ଲେ ସ୍କୁଲ୍ର ଅଧ୍ୟକ୍ଷ ଶ୍ରୀଯକ୍ତ ଜ୍ଞାନ ରଞ୍ଜନ ନନ୍ଦ ଏବଂ କଳା ବିକାଶ କେନ୍ଦ୍ରର ଅଧ୍ୟକ୍ଷା ଶ୍ରୀମତୀ ମୀନତି ନନ୍ଦ ଉପସ୍ଥିତ ରହି ଆମର ଆତ୍ମାର ସଦ୍ ଗତି କାମନା କରିଥିଲେ ।