୭୮ଲକ୍ଷ ଟଙ୍କା ଆତ୍ମସାତ କରି ଫେରାର ଟ୍ୟାକ୍ସ କଲେକ୍ଟର ହାଇଦ୍ରାବାଦରୁ ଗିରଫ
ସରକାରୀ ଅର୍ଥ ଆତ୍ମସାତ କରି ଫେରାର ଥିବା ଢେଙ୍କାନାଳ ପୌର ପରିଷଦର ସହକାରୀ ଟ୍ୟାକ୍ସ୍ କଲେକ୍ଟର ସନ୍ତୋଷ କୁମାର ରାଉଳଙ୍କୁ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଆଜି ହାଇଦ୍ରାବାଦରୁ ଗିରଫ କରାଯାଇଛି। ଗିରଫ ପରେ ଅଭିଯୁକ୍ତ ରାଉଳଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରାଯାଇ ତାଙ୍କୁ ଟ୍ରାନ୍ଜିଟ୍ ରିମାଣ୍ଡରେ କଟକ ଅଣାଯିବ ବୋଲି ଭିଜିଲାନ୍ସ ପକ୍ଷରୁ ଏକ ପ୍ରେସ୍ ବିବୃତ୍ତିରେ ସୂଚନା ଦିଆଯାଇଛି।ଢେଙ୍କନାଳ ପୌର ପରିଷଦର ସହକାରୀ ଟ୍ୟାକ୍ସ୍ କଲେକ୍ଟର ଶ୍ରୀ ରାଉଳ ୭୭ ଲକ୍ଷ ୯୪ ହଜାର ଟଙ୍କାର ସରକାରୀ ପାଣ୍ଠି ଆତ୍ମସାତ କରିଥିବା ନେଇ ଅଭିଯୋଗ ହୋଇଥିଲା। ଅର୍ଥ ଆତ୍ମସାତ୍ କରି ଶ୍ରୀ ରାଉଳ ଗତ ମାର୍ଚ୍ଚ ମାସରୁ ଫେରାର ଥିଲେ। ଫେରାର ସମୟରେ ବାରମ୍ବାର ସ୍ଥାନ ମଧ୍ୟ ବଦଳାଇ ଥିଲେ। ନିଜର ଫୋନ୍ ନମ୍ବର ମଧ୍ୟ ବଦଳାଉଥିଲେ। ଭିଜିଲାନ୍ସ ପକ୍ଷରୁ ତାଙ୍କ ଉପରେ କଡା ନଜର ରଖିବା ସହିତ ମୋବାଇଲ୍ ଟ୍ରାକିଂ କରି ଧରାଯାଇଥିଲା। ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଜଣେ ଡିଏସପି, ଦୁଇଜଣ ଇନ୍ସପେକ୍ଟର ଓ ଜଣେ ଏଏସଆଇଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇ ହାଇଦ୍ରାବାଦ ଯାଇ ତାଙ୍କୁ ଗିରଫ କରିବାକୁ ସମର୍ଥ ହୋଇଛି। ଭିଜିଲାନ୍ସ ପକ୍ଷରୁ ତାଙ୍କ ନାମରେ ଏକ ମାମଲା ରୁଜୁ କରାଯାଇ ଅଧିକ ପଚରାଉଚରା କରାଯାଉଛି।


